ନୂଆଦିଲ୍ଲୀ: ଆରପାରିରେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟା । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଗ୍ରୁପ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ତାଙ୍କୁ ଦର୍ଶନ ପାଇଁ ସକାଳ ୧୦ଟାରୁ ୪ଟା ପର୍ୟ୍ୟନ୍ତ ଏନସିପିଏରେ ରଖାଯିବ । ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁ ପାଇଁ ମୁମ୍ବାଇରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ୟ୍ୟକ୍ରମ ବାତିଲ କରାଯାଇଛି ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଛି । ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରତନ ନାଭାଲ ଟାଟା। ନିଜର ଅମାୟିକ ବ୍ୟକ୍ତିତ୍ୱ, ସରଳ ଜୀବନଶୈଳୀ, ମେଳାପି ସ୍ୱଭାବ ଏବଂ ବଦାନ୍ୟତା ପାଇଁ ପରିଚିତ ଥିଲେ ରତନ ଟାଟା ।
୧୯୬୨ରେ ସେ ପ୍ରଥମେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ। ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସ ଚେୟାରମ୍ୟାନ୍ ବନିଥିଲେ। ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର। ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିଲେ ରତନ ଟାଟା ।
ଟାଟା ଗ୍ରୁପକୁ ଏତେ ଉଚ୍ଚତାକୁ ନେବାରେ ରତନ ଟାଟା ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲେ। ସେ ଦେଶ ତଥା ସାଧାରଣ ଲୋକଙ୍କ ପାଇଁ ଏପରି ଅନେକ କାର୍ଯ୍ୟ କରିଥିଲେ, ଯାହା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ରତନ ଟାଟା ଜଣେ ଉଦାର ବ୍ୟକ୍ତି ଥିଲେ ଏବଂ ଅସୁବିଧା ସମୟରେ ଦେଶକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିଲେ ।