ଓଡ଼ିଶା

ଜଗତଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା: ପୀଠରେ ମହାସପ୍ତମୀ, ମହାଷ୍ଟମୀ ପୂଜା

ଭୁବନେଶ୍ଵର: ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା । ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ହୋଇଉଠିଛି ଗାଁ ଠୁ ସହର । ଆଜି ପୀଠରେ ମହାଅଷ୍ଟମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାସପ୍ତମୀ ପୂଜା ରହିଛି । ସବୁଠି ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ଆଜି ମହାସପ୍ତମୀ ପୂଜାରେ ବିଶେଷ ରୀତିନୀତିରେ ପୂଜା ପାଇବେ ମା ଦଶଭୂଜା । ସକାଳୁ ସୂର୍ଯ୍ୟପୂଜା, ଗୋ ପୂଜା କରାଯାଇଛି । ପରେ କଳସ ଯାତ୍ରା କରାଯାଇ ରୀତିନୀତି ଅନୁସାରେ ପୂଜା କରାଯାଇ ମାଙ୍କ ପ୍ରାଣପ୍ରତିଷ୍ଠା ଓ ଚକ୍ଷୁ ଦାନ କରାଯାଇଛି । ବୁଧବାର ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଥିଲା ।

ତେବେ ରାଜଧାନୀ ଭୁବନେଶ୍ଵର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇଛି । ସୁନା ଚାନ୍ଦି ମେଢରେ ମାଆଙ୍କ ମୂର୍ତ୍ତି ସଜ୍ଜିତ ହୋଇଛି । ଟ୍ବିନ୍ ସିଟିରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ୍ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ତାସାଙ୍ଗକୁ ମୀନା ବଜାର ଦର୍ଶକଙ୍କ ମନ ମୋହୁଛି । ନୟାପଲ୍ଲୀ, ସହିଦ ନଗର, ଝାରପଡା, ରସୁଲଗଡ, ବରମୁଣ୍ଡା, ସହିଦନଗର, ଷ୍ଟେସନ ବଜାର ଆଦି ପ୍ରମୂଖ ମଣ୍ଡପରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟପଟେ ଭୁବନେଶ୍ୱରରେ ଏଥର ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ହୋଇଛି। ବୁଧବାର ପୋଲିସ କମିଶନରେଟ୍‌ କାର୍ୟ୍ୟଳୟରେ ପ୍ରାକ ପ୍ରସ୍ତୁତି ବୈଠକ ଜରିଆରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପୂଜା ସମୟରେ ଆପରାଧିକ କାର୍ୟ୍ୟକଳାପ ଉପରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ଭୁବନେଶ୍ୱରରେ ୧୮୭ ମେଢ଼ ହୋଇଥିବାବେଳେ ଏହାକୁ ୩ଟି ଶ୍ରେଣୀଭକ୍ତ କରାଯାଇଛି। ‘ଏ’ ଶ୍ରେଣୀରେ ୪୮ଟି ମେଢ଼, ‘ବି’ ରେ ୭୧ ଓ ‘ସି’ ରେ ୬୮ ମେଢ଼ ରହିଛି। ତେବେ ୨୨ଟି ଚାନ୍ଦି ମେଢ଼ ଥିବାବେଳେ ପ୍ରତ୍ୟେକ ମଣ୍ଡପରେ ୩ ଏପିଆର୍‌ ବନ୍ଧୁକ ଧରି ସୁରକ୍ଷା ଦେବେ। ପୂଜା ପାଇଁ ୨ ଡିସିପି, ୧୦ ଅତିରିକ୍ତ ଡିସିପି, ୨୨ ଏସିପି/ଏସି, ୨୪୫ ଅଫିସର, ୬୫୭ ବିଭିନ୍ନ ଫୋର୍ସ, ୩୨୮ ହୋମଗାର୍ଡ, ଗୋଟିଏ ପ୍ଲାଟୁନ୍‌ ବିଏସ୍‌ଏଫ୍‌ ଓ ୬୩ ସେକ୍ସନ୍‌ ରିଜର୍ଭ ଫୋର୍ସ ନିୟୋଜିତ ହୋଇଛନ୍ତି। ଏଥିସହ ୧୩ଟି ମୋବାଇଲ ପାଟ୍ରୋଲିଂ ଗଠନ ହୋଇଛନ୍ତି l

ସେହିପରି କଟକର ବିଭିନ୍ନ ମଣ୍ଡପରେ ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଛି । ତୋରଣ ଅପେକ୍ଷା ଜଗତଜନନୀଙ୍କ ଭଳି କି ଭଳି ମେଢ ତିଆରି କରି ଚର୍ଚ୍ଚାରେ ରହୁଥିବା ରୌପ୍ୟନଗରୀ କଟକରେ ଷଷ୍ଠୀରୁ ଦେଖିବାକୁ ମିଳିଲାଣି ମା’ଙ୍କ ଝଲକ୍। କଟକ ତୁଳସୀପୁର ଏବଂ ରାମଗଡ଼ ପୂଜା ମଣ୍ଡପର ନୂତନ ଚାନ୍ଦି ମେଢ଼ ଉଦଘାଟିତ ହୋଇଛି। ସମସ୍ତ ମଣ୍ଡପରେ ଆଜି ଷଷ୍ଠୀ ପୂଜା ସହ ବେଲ ବରଣୀ ପରେ କାଲି ମା’ଙ୍କ ଚକ୍ଷୁଦାନ ଏବଂ ନବପତ୍ରିକା ପୂଜା ହେବ। ଅର୍ଥାତ କାଲିଠୁ ସବୁ ମଣ୍ଡପ ହେବ ଚଳଚଞ୍ଚଳ ।

ସେପଟେ ଶକ୍ତିପୀଠରେ ଆଜି ହୋଇଛି ମହାସପ୍ତମୀ ପୂଜା। ମା’କଟକ ଚଣ୍ଡୀ ବଗଳାମୁଖୀ ଏବଂ ଗଡ଼ଚଣ୍ଡୀ ମହାସରସ୍ବତୀ ବେଶରେ ଦର୍ଶନ ଦେଇଛନ୍ତି। ଜଗତସିଂହପୁର ଝଙ୍କଡ଼ବାସିନୀ ମା’ ଶାରଳା ଆଜି ବଡ଼ସିଂହାର ବେଶରେ ଦର୍ଶନ ଦେଇଥିବାବେଳେ ବାଙ୍କୀରେ ମା’ ଚର୍ଚ୍ଚିକା କାଳରାତ୍ରୀ ଏବଂ କାକଟପୁରରେ ମା’ମଙ୍ଗଳା କଳାକଲି ବେଶରେ ଦର୍ଶନ ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com