Uncategorized

ବିଜେଡ଼ି: ଲେନିନ ମହାନ୍ତିଙ୍କ ବିସ୍ଫୋରକ ବୟାନ ପରେ; ନିଜକୁ ସ୍ୱାଧୀନ କହିଲେ ଅମର

ଭୁବନେଶ୍ବର: ବିଜେଡିରେ କୁହୁଳୁଛି ଅସନ୍ତୋଷ । ବଡ଼ଚଣାରୁ ଜଳଜଳ ଦିଶୁଛି ଫାଟ । ଆଉ ଏହି ଫାଟରେ ନିଆଁ ଲଗାଇ ଦେଇଛି ଲେନିନ ମହାନ୍ତିଙ୍କ ବିସ୍ଫୋରକ ବୟାନ। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି ଲେନିନ। ସେ କହିଛନ୍ତି, ଅମର ଦଳ ଛାଡ଼ି ପଳାନ୍ତୁ । ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି, ସେ ଛାଡ଼ି ପଳାଇଲେ ଭଲହୁଅନ୍ତା ବୋଲି ଲେନିନ କହିଛନ୍ତି ।

ସେ ତ ନିଜ ପୁତୁରାଙ୍କୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ । ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି । ତା’ ପରେ ଯଦି ତାଙ୍କୁ ଅଣନିଃଶ୍ବାସୀ ଲାଗୁଛି, ସେ ଦଳ ଛାଡ଼ି ପଳାଇଲେ ଭଲ ହେବ l ସେ ଚାଲିଗଲେ ଦଳର ପଇସାଟିଏର କ୍ଷତି ହେବ ନାହିଁ । ଯେଉଁମାନେ ଦଳରୁ ଡେଇଁଛନ୍ତି, ସେମାନେ ବିଜେପି ସମ୍ପର୍କରେ ଥିଲେ ବୋଲି ଲେନିନ କହିଛନ୍ତି ।

ସେ ବିଜେପିକୁ ଯାଉନାହାନ୍ତି, କି ବିଜେପି ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ କରିଦେବନି। ଯେଉଁମାନେ ଦଳ ଛାଡ଼ି ଭାଜପାକୁ ଯାଇଛନ୍ତି ସେମାନେ ସେଠି କ’ଣ ପାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେନିନ। ଏହାର ଉତ୍ତର ଦେବାକୁ ଯାଇ ସେ ବିଜେଡିରେ ନାହାଁନ୍ତି ବୋଲି ବଡ଼ ମନ୍ତବ୍ୟ ଦେଇଛନ୍ତି ଅମର ଶତପଥୀ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମର କହିଛନ୍ତି. ମୁଁ ବିଜେଡିରେ ନାହିଁ, ମୁଁ ଏବେ ସ୍ବାଧୀନ । ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି ।

ଏବେ କିନ୍ତୁ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନ୍‌ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି ବୋଲି କହିଛନ୍ତି ଅମର । ବିଜେପିକୁ ପୁତୁରା ଯିବା ପ୍ରସଙ୍ଗରେ ସେ କହିଛନ୍ତି, ମୋ ପୁତୁରା କେହି ବିଜେପିକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ବିଜେପି ସହ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି। ମୁଁ କିନ୍ତୁ ଏବେ ସକ୍ରିୟ ରାଜନୀତିରୁ ନିବୃତ ରହିଛି ବୋଲି ଅମର ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ଅମର ଶତପଥୀ ବିଜେଡ଼ିର ରାଜନୈତିକ କାର୍ଯ୍ୟକ୍ରମରୁ କିଛି ଦିନ ହେଲା ନିଜକୁ ନିବୃତ ରଖିଛନ୍ତି । ଦଳ ଅଣଦେଖା କରୁଛି କି ନାହିଁ, ସେକଥା ଦଳ କହିପାରିବ ବୋଲି ଅମର କହିଛନ୍ତି । ହେଲେ ଅମରଙ୍କୁ ନିର୍ବାଚନ ପ୍ରଚାର ମଇଦାନରେ ଦେଖିବାକୁ ମିଳିନଥିଲା। ଦଳୀୟ ନେତାଙ୍କ ସମନ୍ବୟ ଅଭାବରୁ ବଡ଼ଚଣା ଗଡ଼ ବିଜେଡି ହାତରୁ ଖସିଥିଲା । ନିର୍ବାଚନ ପରେ ବି ବଡ଼ଚଣା ବିଜେଡିରେ ଫାଟ ଦେଖିବାକୁ ମିଳୁଛି l

Related Articles

Back to top button
WP Twitter Auto Publish Powered By : XYZScripts.com