ଓଡ଼ିଶା

ଗଠନ ହେବ ଆଇନ ସଂଶୋଧନ ଆୟୋଗ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଲ’ ରିଭିଜନ କମିଶନ ଗଠନ କରିବାକୁ ଯାଉଛନ୍ତି । ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ସୂଚନା ଅଧିକାର ଆଇନର ୧୯ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବା କ୍ଷେତ୍ରରେ ସୂଚନା ଅଧିକାର ଆଇନର ଭୂମିକା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସୂଚନା ଅଧିକାର ଆଇନ ସତ୍ୟକୁ ଉଜାଗର କରିବା ସହିତ ଦୁର୍ନୀତିକୁ ନିରୁତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅପରପକ୍ଷେ ଅପ୍ରାସଙ୍ଗିକ ଓ ଅଦରକାରୀ ଆଇନର ପରିବର୍ତ୍ତନ ଆବଶ୍ୟକ ଥିବାରୁ ଏହି କମିଶନ ଗଠନ କରାଯିବ । ମାସେ କିମ୍ବା ଦେଢ ମାସ ଭିତରେ କମିଶନ ଗଠନ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଆଇନମନ୍ତ୍ରୀ କହିଛନ୍ତି, ଯେଉଁ ଆଇନ ଉପରେ ସରକାର ଚାଲେ ସେସବୁ ଆଇନଗୁଡିକର ନବୀକରଣ ଅବା ପୁନର୍ବିନ୍ୟାସର ଆବଶ୍ୟକତା ରହିଛି l ତେଣୁ ମାସେ କିମ୍ବା ଦେଢମାସେ ଭିତରେ ଲ’ ରିଭିଜନ କମିଶନ ଗଠନ ହେବ । ଯଦି କେଉଁ ଆଇନ ଅପ୍ରାସଙ୍ଗିକ କିମ୍ବା ଅଦରକାରୀ ହୋଇପଡିଛି ତାହାର ସମୀକ୍ଷା ଦରକାର । ଏଥିପାଇଁ ଲ’ ରିଭିଜନ କମିଶନ ଗଠନ ହେବା ଜରୁରୀ । ସୂଚନା ଅଧିକାର ଆଇନକୁ ଅଧିକ ସଶକ୍ତ କରାଯିବ । ଆଇନରେ ଦରକାର ପଡିଲେ ସଂଶୋଧନ କରାଯିବ । ସରକାରଙ୍କୁ ଭୁଲ ଠିକ ବିଷୟରେ ସୂଚେଇ ଦେବା ସୂଚନା ଅଧିକାର କର୍ମୀଙ୍କର ହେଉଛି କାମ l

ତେଣୁ ରାଜ୍ୟରେ ସେମାନଙ୍କ ନାମରେ ଥିବା ମାମଲାର ସରକାର ପୁରର୍ବିଚାର କରିବେ ବୋଲି ଆଇନ ମନ୍ତ୍ରୀ ହରିଚନ୍ଦନ କହିଛନ୍ତି । ସେପଟେ ପ୍ରଚଳିତ ଆଇନରେ ଥିବା ବିଭିନ୍ନ ଅଦରକାରୀ ନିୟମକୁ ସଂଶୋଧିତ କରି ଜନସାଧାରଣଙ୍କୁ କିଭଳି ସୁବିଧାରେ ସହଜରେ ଓ କମ୍‌ ମୂଲ୍ୟରେ ସୂଚନା ମିଳିପାରିବ ସେଥି ନେଇ ରାଜ୍ୟ ସରକାର ଯୋଜନା କରୁଥିବା ସେ କହିଛନ୍ତି। ଏହି ଆଇନକୁ ଅଧିକ ଲୋକାଭିମୁଖୀ କରିବା ସହିତ ଏଥିରେ ଥିବା ପ୍ରାବଧାନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ସମ୍ପର୍କରେ ସେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com