ଜାତୀୟ

ଆଇନ ଅନ୍ଧ ନୁହେଁ, ଏଥିପାଇଁ ବଦଳିଲା ନ୍ୟାୟଦେବୀଙ୍କ ମୂର୍ତ୍ତି, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଆଇନ ଅନ୍ଧ ନୁହେଁ । ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି । ଏହି ବାର୍ତ୍ତା ଏଣିକି ଲୋକଙ୍କ ପାଖରେ ପହଞ୍ଚିବ । ଭାରତୀୟ ଆଇନ ଅନ୍ଧ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବ। କାରଣ କୋର୍ଟରେ ରହୁଥିବା ନ୍ୟାୟ ଦେବୀଙ୍କ ଆଖିରେ ଲାଗିଥିବା କଳା ପଟିକୁ ହଟାଇ ଦିଆଯାଇଛି । ପୂର୍ବରୁ ନ୍ୟାୟଦେବୀ ହାତରେ ଖଣ୍ଡା ଧରିଥିବା ବେଳେ ଏବେ ସମ୍ବିଧାନ ଧରିଛନ୍ତି । ନ୍ୟାୟ ଦେବୀଙ୍କ ଏପରି ପରବର୍ତ୍ତୀ ଷ୍ଟାଚ୍ୟୁ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଲାଇବ୍ରେରୀରେ ଲାଗିଛି ।

ଏହାର ପ୍ରଥମ ଝଲକ ପଦାକୁ ଆସିଛି । ଭାରତୀୟ ନ୍ୟାୟ ଦେବୀଙ୍କୁ ନୂଆ ରୂପ ଦେବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଥିଲେ । ସେହି ଅନୁସାରେ ନ୍ୟାୟ ଦେବୀଙ୍କ ସ୍ୱରୂପକୁ ବଦଳା ଯାଇଛି । ପ୍ରଧାନ ବିଚାରପତିଙ୍କ ବିଚାରରେ ଖଣ୍ଡା ହେଉଛି ହିଂସାର ପ୍ରତୀକ । କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ । କୋର୍ଟ ସବୁବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ନ୍ୟାୟ ପ୍ରଦାନ କରିଥାନ୍ତି । ସେହିପରି ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ ମଧ୍ୟ କାଢ଼ିବାକୁ ସେ କହିଥିଲେ ।

ସେହି ଅନୁସାରେ ନ୍ୟାୟ ଦେବୀଙ୍କ ନୂଆ ପ୍ରତିମୂର୍ତ୍ତି ତିଆରି କରାଯାଇଛି । ନ୍ୟାୟଦେବୀ ପୂର୍ବରୁ ବାମ ହାତରେ ନ୍ୟାୟ ତରାଜୁ ଧରିଥିଲେ । ଡାହାଣ ହାତରେ ଖଣ୍ଡା ଧରିଥିଲେ । ତାଙ୍କ ଆଖିରେ କଳା ପଟି ବନ୍ଧା ଯାଇଥିଲା । ହେଲେ ଏହାକୁ ବଦଳା ଯାଇଛି । ନ୍ୟାୟ ଦେବୀ ବାମ ହାତରେ ସମ୍ବିଧାନ ଧରିଛନ୍ତି । ଡାହାଣ ହାତରେ ନ୍ୟାୟର ତରାଜୁ ରହିଛି । କିନ୍ତୁ ପୂର୍ବଭଳି ଆଖିରେ କଳାପଟି ନାହିଁ । କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା । ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ ଅଣାଯାଇଛି । ପୂର୍ବରୁ ନ୍ୟାୟ ଦେବୀଙ୍କ ଆଖିରେ କଳା ପଟି ବନ୍ଧା ଯାଇ ସମସ୍ତେ ନ୍ୟାୟପାଳିକା ଆଗରେ ସମାନ ବୋଲି ବାର୍ତ୍ତା ଦିଆଯାଉଥିଲା । ନ୍ୟାୟ ଦେବୀ ଧନୀ, ଗରିବ କିମ୍ବା କ୍ଷମତାଶାଳୀ ବ୍ୟକ୍ତିଙ୍କୁ ଦେଖନ୍ତି ନାହିଁ । ଖଣ୍ଡାକୁ ସର୍ବୋଚ୍ଚ ଅଧିକାରୀର କ୍ଷମତା ଓ ଅନ୍ୟାୟ ବିରୋଧରେ ଦଣ୍ଡ ଦେବାକୁ ସୂଚାଉ ଥିଲା । ହେଲେ ଏହା ବ୍ରିଟିଶ ମାନସିକତା ବୋଲି ସିଜେଆଇ ହୃଦୟଙ୍ଗମ କରି ଏହାକୁ ବଦଳାଇବାକୁ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com