ଓଡ଼ିଶା

ଓଡ଼ିଶାକୁ ଛୁଇଁପାରେ ବାତ୍ୟା; କେବେ ଠାରୁ ଜାଣନ୍ତୁ

ଭୁବନେଶ୍ୱର: ଆଗାମୀ ସପ୍ତାହ ସୁଦ୍ଧା ଓଡ଼ିଶାକୁ ବାତ୍ୟା ସ୍ପର୍ଶ କରିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ୨୦ ଅକ୍ଟୋବର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ନିକଟରେ ବାତ୍ୟା ସୃଷ୍ଟି ହୋଇ ଏକ ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିପାରେ ବୋଲି ଜଣାପଡିଛି । ପାଣିପାଗ ବିଭାଗ ବୈଜ୍ଞାନିକ ଉମାଶଙ୍କର ଦାଶ ଏକ୍ସ ଆକାଉଣ୍ଟରେ ସୂଚନା ଦେଇ ଲେଖିଛନ୍ତି କି ’୨୦ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଝଡ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୨ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇପାରେ ।’

ଅନ୍ୟପଟେ ଅନ୍ତର୍ଜାତୀୟ ପାଣିପାଗ ବିଭାଗ ଆକଳନ କରିଛି କି ଆଗାମୀ ସପ୍ତାହ ସୁଦ୍ଧା ଚକ୍ରବାତ ଓଡ଼ିଶା ବା ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିବ । ଏହି ଆକଳନ ପରେ ବଙ୍ଗୋପସାଗର ଓ ଆରବ ସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ସଚେତନ ରହିବାକୁ ପରାମର୍ଶ ଦିଆଯିବା ସହ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଚେନ୍ନାଇ ଓ ଆଖପାଖ ଅଞ୍ଚଳରେ ଗତ ୨ ଦିନ ଧରି ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି ।

ଗୁରୁବାରରୁ ରବିବାର ପର୍ଯ୍ୟନ୍ତ ତାମିଲନାଡୁ, ପୁଡ୍ଡୁଚେରୀ ଓ କରାଇକଲ ଅଞ୍ଚଳରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଥିବା ସୂଚନା ଦେଇଥିଲା ପାଣିପାଗ ବିଭାଗ । ଶୁକ୍ରବାର ବେଲ୍ଲର, ତିରୁପତୁର, କୃଷ୍ଣଗିରି, ଧର୍ମପୁରୀ, ସଲେମ ଓ ଇରୋଡ ଜିଲାରେ ଭିନ୍ନ ଭିନ୍ନ ସ୍ଥାନରେ ଭାରୀ ବର୍ଷା ହେବା ସମ୍ଭାବନା ରହିଛି । ଚେନ୍ନାଇ ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ ଓ ତିରୁବଲ୍ଲୁର ଜିଲାର ଅନେକ ଅଞ୍ଚଳରେ ଗୁରୁବାର ଭାରୀ ବର୍ଷା ହୋଇଛି । ଏହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାରେ ପାଣି ଭରିଯିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com