ଓଡ଼ିଶା

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ବିଭାଗ କହିଲା…

ଭୁବନେଶ୍ୱର: ଅକ୍ଟୋବରରେ ପୁଣି ଓଡ଼ିଶାକୁ ବାତ୍ୟା ଭୟ । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା ୨୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୩, ୨୪ ଓ ୨୫ରେ ଉପକୂଳ ଓଡ଼ିଶା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ବି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ଏଯାଏଁ ବାତ୍ୟା ଉପରେ କୌଣସି ଆକଳନ କରାଯାଇ ନଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି । ତେବେ ଆଇଏମଡି କହିଛି କି ଆଜି ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବାୟୁମଣ୍ଡଳର ଉପରି ଭାଗରେ ଏହା ୫.୮ କିମି ପର୍ୟ୍ୟନ୍ତ ବ୍ୟାପ୍ତ ରହିଛି । ଧୀରେ ଧୀରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୧ ତାରିଖରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରେ ଅବପାତର ରୂପ ନେଇ ସ୍ଥଳଭାଗ ମୁହାଁ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ତେବେ ଏହା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ଓ ଏହାର ରୂପରେଖ କେତେ ତୀବ୍ରତର ହେବ ସେ ନେଇ ଏବେ ସ୍ପଷ୍ଟ ହୋଇପାରିନି। କିନ୍ତୁ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com