ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା ହେଲା କାହିଁକି, ଜାଣନ୍ତୁ
ଭୁବନେଶ୍ୱର: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା । ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଏହି ଅଭିଯୋଗକୁ ପୁଲିସ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁସାରେ, ଅଭିନେତା ବୁଦ୍ଧାଦିତ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ।
ଅନ୍ୟପଟେ ମୁଖ୍ୟ ପ୍ରସଙ୍ଗ ହେଉଛି ସେ ବାବା ଶିଦ୍ଦିକିଙ୍କ ହତ୍ୟା ପରେ ରାହୁଲ ଗାନ୍ଧୀଙ୍କ ପାଳି ପଡ଼ିବ ବୋଲି ତାଙ୍କ ଫେସବୁକ୍ ଆଇଡିରେ ପୋଷ୍ଟ କରିଛନ୍ତି । ରାହୁଲ ଗାନ୍ଧୀ ହେଉଛନ୍ତି ଭାରତର ବିରୋଧୀ ଦଳ ନେତା । ଅର୍ଥାତ୍ ବିରୋଧୀ ଦଳର ନେତାଙ୍କୁ କିପରି ହତ୍ୟା କରାଯିବ ସେ ଲରେନ୍ସ ବିଷ୍ଣୋଇଙ୍କୁ ପ୍ରଭାବିତ କରୁଛନ୍ତି ତାଙ୍କ ପୋଷ୍ଟ ମାଧ୍ୟମରେ ।
ଏନେଇ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି ଯେ, ବୁଦ୍ଧାଦିତ୍ୟ ଉକ୍ତ ପୋଷ୍ଟକୁ ଡିଲିଟ୍ କରିଛନ୍ତି l ଯେଉଁଭଳି ସେ ଭୁଲ୍ ପୋଷ୍ଟ କରିଥିଲେ ସେଭଳି ସାମାଜିକ ଗଣମାଧ୍ୟମରେ କ୍ଷମା ମାଗନ୍ତୁ l ନଚେତ୍ ଆଗାମୀ ଦିନରେ ତାଙ୍କୁ ବାଟ ଚଲାଇ ଦେବୁନାହିଁ । କାଳି ମାଡ଼ କରିବୁ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି । ଅନ୍ୟପକ୍ଷରେ ବୁଦ୍ଧାଦିତ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଂଗ୍ରେସକୁ ଆକ୍ଷେପ କରିବା ମୋର କୌଣସି ଉଦ୍ଦେଶ୍ୟ ନୁହେଁ । ମୋ ପୋଷ୍ଟକୁ କଂଗ୍ରେସ କର୍ମୀ ଭୁଲ୍ ଅର୍ଥରେ ନେଇଛନ୍ତି ବୋଲି ସେ ଗଣମାଧ୍ୟମରେ ମତ ରଖିଛନ୍ତି ।