ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା; ନିଯୁକ୍ତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଚୟନ ହୋଇଛନ୍ତି ଜଷ୍ଟିସ ସଞ୍ଜୀବ ଖାନା । ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସଞ୍ଜୀବ ଖାନାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଆସନ୍ତା ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନା ଦାୟିତ୍ବ ଗ୍ରହଣ କରିବେ । ଜଣେ ଆଇନଜୀବୀ ଭାବେ ଜୀବନ ଆରମ୍ଭ କରିଥିବା ଜଷ୍ଟିସ ଖାନା ପରବର୍ତ୍ତୀ ସମୟରେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି ।
ଜାତୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଥିବା ଜଷ୍ଟିସ ଖାନା ଭାରତର ସୁପ୍ରିମ କୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅବସର ପରେ ଜଷ୍ଟିସ ଖାନ୍ନା ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ଛଅ ମାସ ରହିବ। ଅର୍ଥାତ୍ ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ୧୩ରେ ଶେଷ ହେବ । ୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା। ପ୍ରଥମେ ସେ ହଜାରି କମ୍ପ୍ଲେକ୍ସ ଜିଲ୍ଲା କୋର୍ଟରେ ଓକିଲ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ ।
ଏହାପରେ ବିଭିନ୍ନ ହାଇକୋର୍ଟରେ ଓକିଲାତି କରିବା ସହ ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ । ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୧୯ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ସେବେଠାରୁ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି । ଏବେ ସେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପରେ ସବୁଠାରୁ ବରିଷ୍ଠ । ସେହି ଆଧାରରେ ତାଙ୍କୁ ସିଜେଆଇ କରାଯାଇଛି ।