ମୁମ୍ବାଇ: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ଜିତି ନେଇଛି ନ୍ୟୁଜିଲାଣ୍ଡ । ପୁଣେରେ ଚାଲିଥିବା ୨ୟ ଟେଷ୍ଟରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ଦଳକୁ ତା’ର ଘରୋଇ ମାଟିରେ ୧୧୩ ରନରେ ପରାଜିତ କରିଛି । ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳକୁ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚର ବିଜୟ ସହିତ ୨-୦ରେ ଆଗୁଆ ରହି କବ୍ଜା କରିନେଇଛି । ୨ୟ ପାଳିରେ ମ୍ୟାଚ ଜିତିବାକୁ ଭାରତ ପାଇଁ ୩୫୯ ରନ ଆବଶ୍ୟକ ଥିବାବେଳେ ଦଳ ୨୪୫ ରନରେ ଅଲଆଉଟ୍ ହୋଇଯାଇଥିଲା ।
୨ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୯ ରନ କରିଥିଲା। ଭାରତୀୟ ସ୍ପିନର ଓ୍ବାଶିଂଟନ ସୁନ୍ଦର(୭ଉଇକେଟ) ଏବଂ ରବିଚନ୍ଦ୍ରନ ଅଶ୍ଵିନ(୩ ଉଇକେଟ)ଙ୍କ ଚମତ୍କାର ବୋଲିଂ ନ୍ୟୁଜିଲାଣ୍ଡକୁ ବଡ଼ ସ୍କୋର କରିବାରେ ଅଟକାଇଥିଲା । ହେଲେ ଭାରତୀୟ ଦଳ ଏହାର ଫାଇଦା ଉଠାଇପାରି ନ ଥିଲେ। ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ଦଳ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଯିବା ସହିତ ପ୍ରଥମ ପାଳିରେ ୧୦୩ ରନରେ ପଛୁଆ ରହିଥିଲା। ନ୍ୟୁଜିଲାଣ୍ଡ ବୋଲର ସାଣ୍ଟନର ସର୍ବାଧିକ ୭ ଉଇକେଟ୍ ନେଇଥିଲେ । ୨ୟ ପାଳିରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟିମ୍ ୨୫୫ ରନ କରିବାରେ ସକ୍ଷମ ହୋଇଥିଲା ।
ଓ୍ବାଶିଂଟନ ସୁନ୍ଦର ୪ଟି, ରବୀନ୍ଦ୍ର ଜାଡେଜା ୩ଟି ଏବଂ ଅଶ୍ଵିନ ୨ଟି ଉଇକେଟ ନେଇଥିଲେ । ମ୍ୟାଚ ବିଜୟ ପାଇଁ ଭାରତକୁ ୩୫୯ ରନ ଦରକାର ପଡ଼ୁଥିଲା। ହେଲେ ୨ୟ ପାଳିରେ ଯଶଶ୍ଵୀ ଜୟସଓ୍ବାଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଜୟସଓ୍ବାଲ ୭୭ ଏବଂ ଜାଡେଜା ୪୨ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ଟିମ ଇଣ୍ଡିଆର ଖେଳାଳିମାନେ ସାଣ୍ଟନରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ । ସାଣ୍ଟନର ୨ୟ ପାଳିରେ ୬ ଉଇକେଟ ନେଇ ନ୍ୟୁଜିଲାଣ୍ଡର ବିଜୟ ସହଜ କରିଦେଇଥିଲେ । ଭାରତ ୨୪୫ ରନରେ ଅଲଆଉଟ ହୋଇଯାଇଥିଲା ।