ନୂଆଦିଲ୍ଲୀ: ‘ରାଜ୍ୟସଭା କମିଟି ଅନ ଇନଫରମେସନ୍ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି’ର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ରାଜ୍ୟସଭା ସଚିବାଳୟ ଦ୍ୱାରା ଜାରି ୯ ଜଣିଆ କମିଟିରେ ସାଂସଦ ଗୁଲାମ ଅଲ୍ଲୀ, କିରନ ଚୌଧୁରୀ, ଅନିଲ କୁମାର ଯାଦବ ମନ୍ଦାଦି, ସାକେତ ଗୋଖଲେ, ଏନ ଆର ଏଲଆନଗୋ, ଡ.ଅଶୋକ କୁମାର ମିତ୍ତଲ, ଭି ବିଜୟସାଇ ରେଡ୍ଡୀ, ମନୋଜ କୁମାର ଝା ସଦସ୍ୟ ଅଛନ୍ତି ।
ସମ୍ପ୍ରତି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ ଡ.ପାତ୍ର ଦାୟିତ୍ୱ ତୁଲାଉଛନ୍ତି । ରାଜ୍ୟସଭାରୁ ବିଜେଡି ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଦଳକୁ ପିଟିସନ କମିଟି ଅଧ୍ୟକ୍ଷ ପଦ ହରାଇବାକୁ ପଡ଼ିଥିଲା । ରାଜ୍ୟସଭାରେ ୭ ଜଣ ସାଂସଦ ବିଶିଷ୍ଟ ବିଜେଡିକୁ ପୁଣି ଥରେ ଗୋଟିଏ ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ମିଳିଛି । ସେହିପରି ରାଜ୍ୟସଭା ଏମପି ଲାଡ ଯୋଜନା କମିଟି ସଦସ୍ୟ ଭାବେ ସାଂସଦ ସୁଲତା ଦେଓ, ପିଟିସନ କମିଟି ସଦସ୍ୟ ଭାବେ ସାଂସଦ ଶୁଭାଶିଷ ଖୁଣ୍ଟିଆ, ରାଜ୍ୟସଭା ବାସଗୃହ କମିଟି ସଦସ୍ୟ ଭାବେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମନୋନୀତ ହୋଇଛନ୍ତି ।