ଭୁବନେଶ୍ୱର: ବାତ୍ୟା ‘ଦନା’ର ପ୍ରଭାବରୁ ମୁକ୍ତ ହୋଇଛି ଓଡିଶା l ଏହି ବାତ୍ୟାର କ୍ଷୟକ୍ଷତି ଆକଳନ ସମୀକ୍ଷା କରୁଛନ୍ତି ରାଜ୍ୟ ସରକାର l ତେବେ ଏହାରି ଭିତରେ ରାଜନୈଅତିକ ଝଡ଼ ସୃଷ୍ଟି ହୋଇଛି l ଆଉ ଏହି ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବାତ୍ୟା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଇଲେ, ଲ୍ୟାଣ୍ଡଫଲ ବେଳେ ପବନର ଗତି ଯେତିକି ରହିବ ବୋଲି କୁହାଯାଇଥିଲା ତାହାଠାରୁ ବହୁତ କମ୍ ରହିଥିଲା । ଏଭଳି ଧରଣର ବାତ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରିବା ଅନାବଶ୍ୟକ ଥିଲା । ୟାସ୍ ବାତ୍ୟା ବେଳେ ୧୮୫ କି.ମି ବେଗରେ ପବନ ବହିଥିଲା । ସେତେବେଳେ ୧୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ଏହି ବାତ୍ୟାରେ କେତେ ଲୋକଙ୍କୁ ବାସ୍ତବରେ ସ୍ଥାନାନ୍ତର କରାଗଲା ତାହା ସରକାର ସ୍ପଷ୍ଟ କରନ୍ତୁ । ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛି ବିଜେଡି । ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ବାତ୍ୟା ପାଇଁ କେତେ ଲୋକ ସ୍ଥାନାନ୍ତର ହୋଇଛନ୍ତି l କେତେ ଲୋକ ଆଶ୍ରୟସ୍ଥଳୀରେ ରହିଛନ୍ତି ତାହା ସରକାର ଜନସାଧାରଣଙ୍କୁ ଅବଗତ କରାନ୍ତୁ । ବାତ୍ୟାରେ ରାଜ୍ୟରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବିଜେଡି ଅଭିଯୋଗ କରିଛି । ସେଥିମଧ୍ୟରୁ ରାଜନଗରରେ ୩ଜଣ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଜଣେ ପ୍ରାଣ ହରାଇଥିବା ବିଜେଡି ଅଭିଯୋଗ କରିଛି ।
ରାଜ୍ୟ ସରକାର ଜିରୋ କାଜୁଆଲିଟି ନେଇ ଶ୍ୱେତପତ୍ର ଆଣନ୍ତୁ ଏବଂ ମିଛକୁ ସତରେ ପ୍ରମାଣିତ କରିବାର ଅପଚେଷ୍ଟା କରନ୍ତୁ ନାହିଁ ବୋଲି ବିଜେଡି କହିଛି । ବାତ୍ୟାରେ ନବୀନ ସରକାରଙ୍କ ମଡେଲକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଥିଲା । ୧୯୯୯ରେ ରାଜ୍ୟରେ ଥିଲା ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳୀ । ୨୦୨୪ରେ ଏହି ସଂଖ୍ୟା ୯୦୦ ହୋଇଥିବା ବେଳେ ସେଥିମଧ୍ୟରୁ ୪୫୦ଟି ବାତ୍ୟା ଆଶ୍ରୟସ୍ଥଳ ଅତ୍ୟାଧୁନିକ ଥିଲା । ୨୪ବର୍ଷ ଭିତରେ ଓଡ଼ିଶା ଅନେକ ବିପର୍ଯ୍ୟୟର ଶିକାର ହୋଇଛି । ତତକାଳୀନ ନବୀନ ସରକାର ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇଥିଲେ । ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାର ବିଶାଳ ଭିତ୍ତିଭୂମି ତିଆରି ହୋଇଥିଲା । ତାହାର ଫଳ ସ୍ୱରୂପ ଆଜି ଓଡ଼ିଶା ସଫଳତାର ମୁକାବିଲା କରିପାରୁଛି ।