ଚିଲିକା: ବିଦେଶାଗତ ପକ୍ଷୀଙ୍କ ଆଗମନ ପାଇଁ ଅନୂକଳ ହେଲା ପାଗ
ଭୁବନେଶ୍ୱର: ଶୀତଋତୁ ଆସିଲେ ଚଳଚଞ୍ଚଳ ହୋଇଉଠେ ଚିଲିକା । ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ ଅଞ୍ଚଳ । ଏହି ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏଠାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ତେବେ ପ୍ରାକୃତିକ ବୈଷମ୍ୟତା ଯୋଗୁ ଚଳିତ ଅକ୍ଟୋବର ମାସରେ ଲଘୁଚାପଜନିତ ବର୍ଷା ବିଦେଶାଗତ ପକ୍ଷୀଙ୍କ ଆଗମନରେ ବାଧା ସୃଷ୍ଟି ହୋଇଥିଲା ।
ସମ୍ପ୍ରତି ଧୀରେ ଧୀରେ ଶୀତର ପ୍ରକୋପ ଅନୁଭୂତ ହେଉଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଉଛି । ଅନ୍ୟପଟେ ଏହି ଅଞ୍ଚଳଗୁଡ଼ିକରେ ଗଡ଼ଓାଲ, ଶୋଭଲର, ପିଣ୍ଟାଲ, ଗଡ଼ଉଇଟ, ସ୍ୟାଣ୍ଡ ପାଇପର, ପେଲିକାନ ଆଦି ପ୍ରଜାତିର ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ବିଗତ ବର୍ଷଗୁଡ଼ିକ ଭଳି ଚଳିତବର୍ଷ ମଧ୍ୟ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବାଲୁଗାଁ ତରଫରୁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚିଲିକା ନୂଆପଡ଼ା ରେଞ୍ଜ ଅଫିସ୍ ପକ୍ଷରୁ ଗୁରୁବାଇ ଓ ସିପିଆଠାରେ ଦୁଇଟି ପକ୍ଷୀ ଶିବିର କରାଯାଇଛି l ଏଥିପାଇଁ ୫ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।
ସେହିଭଳି ପାରିକୁଦ ପକ୍ଷୀ ସୁରକ୍ଷା ଶିବିରରେ ଫରେଷ୍ଟର ଜିତେନ୍ଦ୍ରିୟ ଜେନାଙ୍କ ସମେତ ବନରକ୍ଷୀ ତ୍ରିଲୋଚନ ମହାରଣା ଓ ୬ଜଣ ସୁରକ୍ଷାକର୍ମୀ ନିୟୋଜିତ ଥିବା ଜଣାପଡ଼ିଛି । ବାଲୁଗାଁ ରେଞ୍ଜର ରଶ୍ମିତା ଜେନା ଏବଂ ଚିଲିକା-ନୂଆପଡ଼ା ରେଞ୍ଜର କାଶୀନାଥ ହେମ୍ବ୍ରମ୍ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି । ସାତପଡ଼ା ରେଞ୍ଜ୍ ତରଫରୁ ଗମ୍ଭାରୀ ଓ ବଡ଼ଗୋଠରେ ଦୁଇଟି ପକ୍ଷୀ ସୁରକ୍ଷା ଶିବିର କରାଯାଇଛି । ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ ସେଠାରେ ମୁତୟନ କରାଯାଇଛି l ସେପଟେ ରେଞ୍ଜର ଶରତ ଜାନୀ ଓ ବନପାଳ ସୁଜିତ କୁମାର ବେହେରା, ଦୁର୍ଗାଚରଣ ଟୁଡୁ, ରଜନୀକାନ୍ତ ଲେଙ୍କା, ଅନିଲ ଲେଙ୍କା ପ୍ରମୁଖ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଦିଗରେ କଡ଼ା ନଜର ରଖିଛନ୍ତି ।