ରାଜଧାନୀର ରାଜରାସ୍ତାରେ ଗର୍ଜୁଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍
ଭୁବନେଶ୍ବର: ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍ । ଆଜି ଅର୍ଥାତ ସୋମବାର ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ନର୍ସିଙ୍ଗ ଅଫିସର, ଏଏନଏମ, ଫାର୍ମାସିଷ୍ଟ ଓ ଏଲ.ଟି ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଅନେକ ଦାବି ନେଇ ଆଜି ଲୋୟର ପିଏମଜିରେ ଧାରଣା ମଧ୍ୟ ଦେଉଛନ୍ତି । ମହାମାରୀ କୋଭିଡ ଭଳି ସଂକଟାପନ୍ନ ପରିସ୍ଥିତିରେ ସ୍ଵସ୍ତ୍ୟ ବିଭାଗର ନିର୍ଦ୍ଦେଶରେ ସେବା ଯୋଗାଇ ଥିବା ପାରା ମେଡ଼ିକାଲ କର୍ମଚାରୀ ମାନଙ୍କୁ ସରକାରଙ୍କ ଛଟେଇ ବିରୋଧରେ ସେମାନେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା ।
ବିକ୍ଷୋଭକାରୀଙ୍କ କହିବା ଅନୁସାରେ, ସରକାରଙ୍କ ନିର୍ଦ୍ଦେଶାନୁସାରେ ସେମାନେ ଆଜକୁ ୫ ବର୍ଷ ହେଲା ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ ମଧ୍ୟ ବିଭିନ୍ନ ମେଡିକାଲରେ ସେମାନଙ୍କୁ ଛଟେଇ କରି ଦିଆଯାଉଛି । ପଢିବାକୁ ସମୟ ନଥିବା ବେଳେ କେତେକଙ୍କ ବୟସ ସୀମା ଅଧିକ ହେତୁ ସେମାନେ ଓଏସଏସସି ପରୀକ୍ଷା ମଧ୍ୟ ଦେଇ ପାରୁ ନାହାନ୍ତି । ସେମାନଙ୍କୁ ଏନଏଚଏମରେ ଯୋଡିବା ସହ ଛଟେଇ ବନ୍ଦ କରିବାକୁ ସଭାପତି ଦେବାଶିଷ ତରାଇଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି ।
ମହାମାରୀ ଶେଷ ହେବା ପରେ ଅନେକଙ୍କୁ ଛଟେଇ କରିଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଏବେ ଅଣଦେଖା କରାଯାଉଥିବା ବେଳେ ସେମାନଙ୍କର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଗଞ୍ଜାମ, ବାଲେଶ୍ୱର, ଜଗତସିଂହପୁର ଭଳି ଜିଲାରେ ପାରାମେଡିକାଲ କର୍ମଚାରୀ ମାନଙ୍କୁ ଛଟେଇ କରିଦିଆଯାଇଛି । ଫଳରେ ଏଭଳି ଅବ୍ୟବସ୍ଥାକୁ ନେଇ ଆଜି ସଂଘ ପକ୍ଷରୁ ଧାରଣା ଦିଆଯାଇଛି ।