ଅନ୍ତର୍ଜାତୀୟଜାତୀୟ

ଦେବାଦେବୀଙ୍କ ଫଟୋ ଥିବା ପେପର ଖୋଳରେ ବିକୁଥିଲେ ଚିକେନ, ପୁଲିସ ଆସିବାରୁ ଛୁରୀ ଧରି ଗୋଡ଼ାଇଲେ

ଲକ୍ଷ୍ନୌ: ଜଣେ ମୁସଲିମ ବ୍ୟକ୍ତି ହିନ୍ଦୁ ଦେବାଦେବୀଙ୍କ ଫଟୋ ଥିବା ପେପର ଖୋଳ ଭିତରେ ଚିକେନ୍ ଭର୍ତ୍ତି କରି ବିକୁଥିଲେ। ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ଥିଲା। ହେଲେ ପୁଲିସ ଆସିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଲିସ କର୍ମଚାରୀଙ୍କୁ ମାରି ଦେବାକୁ ଛୁରି ଧରି ଗୋଡ଼ାଇଥିଲେ। ଏଭଳି ତାଜୁବ କରିଦେବା ଭଳି ଘଟଣା ଉତ୍ତରପ୍ରଦେଶରର ସମ୍ବଳ ଜିଲ୍ଲାରେ ଘଟିଛି। ତେବେ ବହୁ କଷ୍ଟରେ ଏହି ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ସମ୍ପୃକ୍ତି ବ୍ୟକ୍ତିଙ୍କ ନାମ ତଲିବ ହୁସେନ୍।

ସେ ହିନ୍ଦୁ ଦେବାଦେବୀଙ୍କ ଫଟୋ ଥିବା ପେପର ଖୋଳ ଭିତରେ ଚିକେନ୍ ଭର୍ତ୍ତି କରି ବିକ୍ରି କରୁଥିବା ଦେଖି ବହୁ ଲୋକ ସୋମବାର ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏପରି କରି ହୁସେନ ଲୋକଙ୍କ ଧାର୍ମିକ ଭାବନ ଉପରେ ଆଘାତ କରୁଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗକୁ ଅଧାର କରି ପୁଲିସ ଟିମ୍ ହୁସେନଙ୍କ ଦୋକାନରେ ପହଞ୍ଚି ଥିଲେ। ହେଲେ ଏହି ସମୟରେ ତଦନ୍ତରେ ସହଯୋଗ ନ କରି ଓଲଟା ହୁସେନ ଛୁରୀ ଧରି ପୁଲିସକୁ ଗୋଡ଼ାଇଥିଲେ।

ପୁଲିସ ଏନେଇ ନିଜ ଆଡ଼ୁ ମାମଲା କରିଛି। ଏଥିରେ ହୁସେନ ପୁଲିସ କର୍ମଚାରୀଙ୍କୁ ମାରିଦେବାକୁ ଉଦ୍ୟମ କରିଥିବା ଉଲ୍ଲେଖ କରାଯାଇ ଆଇପିସିର ବିଭିନ୍ନ ଦଫା ଲଗାଯାଇଛି।

ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ବିଭିନ୍ନ କାମ କରିବାକୁ ନେଇ ଏବେ ଦେଶର ବିଭିନ୍ନ ରାଜ୍ୟରେ ହିଂସା ଦେଖାଦେଇଛି। ତେଣୁ ପୁଲିସ ଏହି ମାମଲାକୁ ଗୁରୁତ୍ୱ ସହ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି।

Related Articles

Back to top button