ଦାଦନ ସମସ୍ୟାକୁ ନେଇ ବଡ଼ ସୂଚନା: ସରକାର ଗଠନ କଲେ ଟାସ୍କଫୋର୍ସ
ଭୁବନେଶ୍ୱର: ଲୋକେ ନିଜ ପରିବାରର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ବାହାର ରାଜ୍ୟ ଏବଂ ଦେଶକୁ ରୋଜଗାର କରିବାକୁ ଯାଉଛନ୍ତି l ଯାହାକୁ ଅଫିସିଆଲି ମତରେ ଦାଦନ ବୋଲି କୁହାଯାଏ l ତେବେ ଏହି ଦାଦନ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନଜ୍ ଇନଷ୍ଟିଚ୍ୟୁଟ୍ର ମ୍ୟାନେଜିଂ ଡ଼ାଇରେକ୍ଟର ଭି. ଶ୍ରୀରାମ ସୋମବାର ସୌଜନ୍ୟମୂଳକ ସାକ୍ଷାତକାର ଓ ଆଲୋଚନା କରିଛନ୍ତି ।
ଏହି ସାକ୍ଷାତକାର ସମୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ନଜ୍ ଇନଷ୍ଟିଚ୍ୟୁଟ୍ର ସିଇଓ ତଥା ଫାଉଣ୍ଡର ଅତୁଲ ସିଜିଆ ଉପସ୍ଥିତ ଥିଲେ । ସମ୍ପ୍ରତି ରାଜ୍ୟରେ ଦାଦନଜନିତ ବିସ୍ଥାପନ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି । ଏହାର ସମାଧାନ ପାଇଁ ସରକାର ତ୍ୱରିତ ବେଗରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ ସହ ସେମାନଙ୍କ ପାଇଁ ସ୍ଥାୟୀ ରୋଜଗାରର ଅବସର ସୃଷ୍ଟି କରିବା ଦିଗରେ ଟାସ୍କାଫୋର୍ସ କାର୍ଯ୍ୟ କରିବ ।
ନଜ୍ ଫାଉଣ୍ଡେସନ୍ ଦାଦନ ଶ୍ରମିକଙ୍କ ସହ ପ୍ରତ୍ୟକ୍ଷରୂପେ ଯୋଡ଼ିହୋଇ ସେମାନଙ୍କ ଦକ୍ଷତା ଅନୁଯାୟୀ ଆୟ ପନ୍ଥା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ଫାଉଣ୍ଡେସନ୍ ପ୍ରସ୍ତାବ ଦେଇଛି । ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀରାମ ପ୍ରକାଶ କହିଛନ୍ତି କି, ନଜ୍ ଫାଉଣ୍ଡେସନ୍ ଦେଶର ସବୁ ରାଜ୍ୟଗୁଡ଼ିକରେ ଜନଜାତିଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି l