ଆମେରିକା ନିର୍ବାଚନ: ଟ୍ରମ୍ପ ଓ ହାରିସ୍ଙ୍କୁ ସମାନ ବାଲାଟ୍
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ଗ୍ରହଣ ପ୍ରକ୍ରିୟା ଭାରତୀୟ ସମୟ ମଙ୍ଗଳବାର ଅପରାହ୍ନ ୪ଟା ପରେ ଆରମ୍ଭ ହୋଇ ସାରିଛି । ତେବେ ଗୋଟିଏ ପଟେ ଭୋଟିଂ ପ୍ରକ୍ରିୟା ଜାରି ରହିଥିବା ବେଳେ ଉତ୍ତରପୂର୍ବ ରାଜ୍ୟ ନ୍ୟୁ ହାମ୍ପଶାୟରର ଡିକ୍ସଭିଲ ନଚ୍ ପ୍ରାନ୍ତରୁ ଭୋଟିଂ ଫଳାଫଳ ସ୍ପଷ୍ଟ ହୋଇଛି । ରିପୋର୍ଟ ଅନୁଯାୟୀ ଏହି ଅଞ୍ଚଳରେ ଡେମୋକ୍ରାଟିକ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଏବଂ ରିପ୍ଲବିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟାଇ ହୋଇଛି । ଅର୍ଥାତ୍ ଉଭୟ ଏଠାରେ ତିନୋଟି ଲେଖାଏ ବାଲଟ୍ ପାଇଛନ୍ତି ।
ସୂଚନା ମୁତାବକ, ଡିକ୍ସଭିଲ ନଚ୍ ବାସିନ୍ଦାମାନେ ୨୦୨୦ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କୁ ସର୍ବସମ୍ମତି କ୍ରମେ ଭୋଟ ଦେଇଥିଲେ । ଜାନୁଆରୀରେ ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲିଙ୍କୁ ଡିକ୍ସଭିଲ ନଚ ଭୋଟରମାନେ ଏକତରଫା ସମର୍ଥନ ଦେଇଥିଲେ । ତେବେ ସେ ରାଷ୍ଟ୍ରପତି ରେସ୍ରୁ ଓହରି ଯାଇଥିଲେ । ଲାଗୁଥିଲା ଟ୍ରମ୍ପ ଏଠାରେ ପୁଣି ସମର୍ଥନ ପାଇବେ । କିନ୍ତୁ ଏଠାରେ ସ୍ଥିତି ସମାନ ରହିଛି। ଉଭୟ ହାରିସ ଓ ଟ୍ରମ୍ପ ଏଠାରେ ୩ଟି ଲେଖାଏ ବାଲଟ୍ ପାଇଛନ୍ତି । ଏସବୁ ମଧ୍ୟରେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଥାଇଲାଣ୍ଡ କୁନି ଜଳହସ୍ତୀ ‘ମୁ ଡେଙ୍ଗ୍’ ନିଜ ଶୈଳୀରେ ଏଥର ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବେ ବୋଲି ପୂର୍ବାନୁମାନ କରିଛି ।
ଥାଇଲାଣ୍ଡ ଚିଡ଼ିଆଖାନାରେ ଥିବା ଏହି ଜଳହସ୍ତୀ ମୁ ଡେଙ୍ଗକୁ ଦୁଇ ଫାଳ ବୋଇତାଳୁରେ ତରଭୁଜ ରଖି ଖାଇବାକୁ ଦିଆଯାଇଥିଲା । ଗୋଟିକରେ ଡେମୋକ୍ରାଟିକ୍ ପାର୍ଟି ଓ କମଲା ହାରିସଙ୍କ ନାମ ଓ ଅନ୍ୟଟିରେ ରିପବ୍ଲିକାନ ପାର୍ଟି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖାହେଇଥିଲା। ତେବେ ମୁ ଡେଙ୍ଗ ପ୍ରଥମେ ଆସି ଟ୍ରମ୍ପ ଲେଖାଥିବା ବୋଇତାଳୁ ଓ ତରଭୁଜକୁ ଖାଇଥିଲା । ତେବେ ଗତ ଜୁଲାଇ ମାସରେ ଜନ୍ମ ହୋଇଥିବା ଜଳହସ୍ତୀ ମୁ ଡେଙ୍ଗ୍ ଏକ ଇଣ୍ଟରନେଟ ସେନସେସନ୍ । ବିଶେଷକରି ଏହି କୁନି ଜଳହସ୍ତି କରୁଥିବା ପୂର୍ବାନୁମାନଗୁଡିକ ସତ ସାବ୍ୟସ୍ତ ହୋଇଥାଏ ବୋଲି କୁହାଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ପୋଲିଂ କରାଯାଇ ତାର ନାମ ମୁ ଡେଙ୍ଗ ରଖାଯାଇଛି ।