ନୂଆଦିଲ୍ଲୀ: ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କର ବଢ଼ିବାରେ ଲାଗିଛି ଅଡ଼ୁଆ । ଅକ୍ଟୋବର ମାସ ୨୭ ତାରିଖରେ ପଶ୍ଚିମବଙ୍ଗରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଘୃଣ୍ୟ ଭାଷଣ ପ୍ରଦାନ କରିଥିବାରୁ ଦାଦା ସାହେବ ଫାଲକେ ପୁରସ୍କାର ବିଜେତା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବିରୋଧରେ ଦୁଇଟି ଏତଲା ରୁଜୁ କରାଯାଇଛି । ଏହି ଅବସରରେ ମିଥୁନ କହିଥିଲେ ଯେ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବା ନିମନ୍ତେ ବିଜେପି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି ।
ଏହି ପ୍ରସଙ୍ଗରେ ମିଥୁନ ତୃଣମୂଳ କଂଗ୍ରେସ ନେତା ହୁମାୟୁନ କବିରଙ୍କ ମନ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଗତ ଲୋକସଭା ନିର୍ବାଚନ ପୂର୍ବରୁ କବିର ଏକ ସଭାରେ କହିଥିଲେ ଯେ ପଶ୍ଚିମବଙ୍ଗରେ ହିନ୍ଦୁମାନେ ଯଦି ଭାବୁଥାନ୍ତି ସେମାନେ ଆମର ମସଜିଦଗୁଡିକୁ ଭାଙ୍ଗିବେ ଆଉ ମୁସଲମାନମାନେ ହାତବାନ୍ଧି ଘରେ ବସିବେ, ତେବେ ତାହା ତୁମେ ଭୁଲ ଭାବୁଛ । ରାଜ୍ୟରେ ଥିବା ହିନ୍ଦୁଙ୍କୁ ଯଦି ଦୁଇ ଘଣ୍ଟା ମଧ୍ୟରେ ଭାଗୀରଥି ନଦୀରେ ନ ଫୋପାଡିଛି, ତାହାହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କବିର ସେତେବେଳେ କହିଥିଲେ ।
ତେବେ କବିରଙ୍କ ଏହି ମନ୍ତବ୍ୟର ଜବାବରେ ମିଥୁନ କହିଥିଲେ ଯେ ଆମେ ତୁମକୁ ଭାଗୀରଥି ନଦୀରେ ଫୋପାଡିବୁ ନାହିଁ l ବରଂ ନଦୀକୂଳରେ ତୁମମାନଙ୍କୁ କବର ଦେଇଦେବୁ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଙ୍ଗିତ କରି କହିଥିଲେ, ରାଜ୍ୟରେ ବିଜେପି ସରକାର ୨୦୨୬ରେ ଆସିବା ନିଶ୍ଚିତ । ଏହାପରେ ତୁମକୁ ଦେଖିନବୁ । ସ୍ଥାନୀୟ ବିଧାୟକ ହୁମାୟୁନ କବିରଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ପ୍ରତିଶୋଧ ପରାୟଣ ଭାବନା ସହ ମିଥୁନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ନେଇ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି । ରାଜ୍ୟ ସରକାର ବାରମ୍ବାର ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ସେ କହିଛନ୍ତି ।