ଓଡ଼ିଶା

ଲଭ୍‌ ଜିହାଦ: ବନ୍ଧା ହେଲେ, ଗୁମର ଖୋଲିଲେ ଅଭିଯୁକ୍ତ ସମୀର,

ଭୁବନେଶ୍ବର: ରାଜଧାନୀରେ ଲଭ୍ ଜିହାଦ ଅଭିଯୋଗ ମାମଲା । ଅଭିଯୁକ୍ତ ସମୀର ମନସୁର ଗିରଫ । କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତର ମେଡିକାଲ କରାଯାଇଛି ଚେକ୍ ଅପ୍ । ଶୁକ୍ରବାର ପୀଡିତାଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ ହୋଇଛି । ଏଥିସହ ପୁଲିସ୍ ଅଭିଯୁକ୍ତର ମୋବାଇଲ ଜବତ କରି ଫୋରେନସିକ୍ ଲ୍ୟାବକୁ ପଠାଇଛି । ଆଉ କିଛି ସମୟ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।

ଅନ୍ୟପଟେ ଲଭ୍ ଜିହାଦର ଗୁମର କଥା ବଖାଣିଛି ଅଭିଯୁକ୍ତ ସମୀର ମନସୁର । ବିବାହ ପ୍ରଲୋଭନ ଦେଖାଇ ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ଇନଷ୍ଟାଗ୍ରାମରେ ଭିଡିଓ ମଧ୍ୟ ଭାଇରାଲ କରିଥିଲେ । ଭିଡିଓ ଡିଲିଟ୍ ପାଇଁ ପୁଲିସ୍ ଇନଷ୍ଟାଗ୍ରାମକୁ ଚିଠି ଲେଖିବା ନେଇ ସୂଚନା ମିଳିଛି । ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଫ୍ରି ଫାୟାର୍‌ ଗେମ୍‌ ଖେଳୁଥିବାବେଳେ ୨୦୨୨ରେ ଅଭିଯୁକ୍ତ ସମୀର ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା । ସମୀର ନିଜ ତଥ୍ୟ ଗୋପନ ରଖି ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇଥିଲା ।

ଘଣ୍ଟା ଘଣ୍ଟା ଧରି ଭିଡିଓ କଲ୍‌ରେ ତାଙ୍କ ସହ ଭାବ ଦିଆନିଆ କରୁଥିଲା । ତାଙ୍କ ସହ ମିଶିବା ପାଇଁ ଏକାଧିକ ଥର ଓଡ଼ିଶା ଆସିଥିଲା । ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ତାର ଘର ବିହାରରେ ଏବଂ ସେ କାଶ୍ମୀରରେ ଚାକିରି କରୁଥିବା କହିଥିଲା । ଶେଷ ଥର ପାଇଁ ସେ ଗତ ମାର୍ଚ୍ଚରେ ଓଡ଼ିଶା ଆସିଥିଲା । ଉଭୟ ପୁରୀରେ ଏକ ହୋଟେଲ୍‌ରେ ‌ରହିଥିଲେ । ଏହି ସମୟରେ ସମୀରର ପ୍ରକୃତ ନାଁ ସମୀର ମନସୁର ବୋଲି ପୀଡ଼ିତା ଜାଣିବାକୁ ପାଇଥିଲେ ।

କାଳକ୍ରମେ ସେ ଅନ୍ୟ ସମ୍ପ୍ରଦାୟର ବୋଲି ଜାଣିବା ପରେ ତା’ଠାରୁ ଦୂରେଇ ଯିବା ପାଇଁ ଚେଷ୍ଟା କରିଥିଲେ l ହେଲେ ସମୀର ତାଙ୍କୁ ହୋଟେଲ୍‌ କୋଠରିରୁ ବାହାରକୁ ଛାଡ଼ି ନଥିଲା । ବଳପୂର୍ବକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ଏମିତିକି ତାଙ୍କୁ ଧମକ ଚମକ ଦେଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା । ପ୍ରତିବାଦ କରିବାରୁ ତାଙ୍କୁ ଛୁରି ଦେଖାଇ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା । କୌଶଳକ୍ରମେ ପୀଡ଼ିତା ହୋଟେଲ୍‌ରୁ ପଳାଇ ଆସିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ସମୀର ଫୋନ୍‌ କରି ତାଙ୍କୁ ବିବାହ କରିବାକୁ ଅଡ଼ିବସିଥିଲା ।

ପୀଡ଼ିତା ରାଜି ନହେବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ୍‌ କରି ଦେଇଥିଲା । ଏଥିସହ ଯୁବତୀଙ୍କ ବାପାଙ୍କ ପାଖକୁ ଭିଡିଓ ପଠାଇ ବିବାହ ପାଇଁ କହିଥିଲା । ବିବାହ ନକଲେ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲା । ଏହା ପରେ ପୀଡ଼ିତାଙ୍କ ପରିବାର ଚିନ୍ତାରେ ପଡ଼ିଯିବା ସହ ଘଟଣା ସମ୍ପର୍କରେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସମୀରକୁ ଧରିବା ଲାଗି ପୁଲିସ ଜାଲ ବିଛାଇ ଥିଲା । ଯୋଜନା ମୁତାବକ ବିବାହ କରିବେ ବୋଲି କହି ପୀଡ଼ିତା ତାକୁ ଡକାଇଥିଲେ । ଏଥିରେ ସମୀର ଫସି ଯାଇଥିଲା । ପ୍ରେମିକାଙ୍କୁ ବିବାହ ପାଇଁ କାଶ୍ମୀର ନେବା ଲାଗି ସମୀର ଓଡ଼ିଶା ଆସିଥିଲା । ସେ କଟକ ଷ୍ଟେସନ୍‌ ନିକଟରେ ପହଞ୍ଚିବା‌‌ବେଳେ ଛକିଥିବା ପୁଲିସ ତାକୁ କାବୁ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com