ଆସନ୍ତା ନଭେମ୍ବର ୨୪ ତାରିଖରେ ବାକିଥିବା ମହିଳାଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା: ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ଏନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇ କହିଛନ୍ତିି, ନଭେମ୍ବର ୨୪ ତାରିଖରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା । ସୁନ୍ଦରଗଡରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ଅବଶିଷ୍ଟ ‘ସୁଭଦ୍ରା’ ହିତାଧିକାରୀ ଡିସେମ୍ବରରେ ଟଙ୍କା ପାଇବେ।
ଏଯାବତ୍ ୨ଲକ୍ଷ ୬୭ ହଜାର ‘ସୁଭଦ୍ରା’ ଆବେଦନ ଖାରଜ ହୋଇଛି । ବିଭିନ୍ନ ତ୍ରୁଟି କାରଣରୁ ଆବେଦନ ପତ୍ର ଖାରଜ ହୋଇଛି । ଏହି ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଇଛି । ଆଧାରକାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ୩ୟ ପର୍ଯ୍ୟାୟରେ ଟଙ୍କା ମିଳିବ । ସଂଶୋଧନ କରିବାରେ ବିଳମ୍ବ ହେଲେ ୪ର୍ଥ ପର୍ଯ୍ୟାୟରେ ଦିଆଯିବ । ଜଣେ ମଧ୍ୟ ଯୋଗ୍ୟ ହିତାଧକାରୀ ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ମୁତାବକ, ଗତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ଅକ୍ଟୋବର ୯ରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା ।
ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ମହିଳାଙ୍କ ଆକାଉଣ୍ଟ ସୁଭଦ୍ରା ଟଙ୍କା ପଠାଯାଇ ସାରିଛି । ଖୁବ୍ଶୀଘ୍ର ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆକାଉଣ୍ଟଙ୍କୁ ପଠାଯିବ । ଏହି ଯୋଜନା ପାଇଁ ୧ କୋଟିରୁ ଅଧିକ ମହିଳା ଆବେଦନ କରିଥିଲେ । ବର୍ଷକୁ ଦୁଇଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା । ୫ ବର୍ଷରେ ଆକାଉଣ୍ଟକୁ ଆସିବ ମୋଟ ୫୦ ହଜାର ନଗଦ ରାଶି । ଚଳିତ ଆର୍ଥିକ ବର୍ଷରୁ ଲାଗୁ ହୋଇଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ।