Featuredଓଡ଼ିଶା

ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ,ଫେବୃଆରୀ ୨୦ ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବ ମେଳା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ୟୁନିଟ୍‌-୧ ସ୍ଥିତ ଆଦିବାସୀ
ପଡ଼ିଆ ଠାରେ ଆୟୋଜିତ ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩କୁ ଉଦ୍‌ଘାଟନ କରିଛନ୍ତି ।

ଆଦିବାସୀମାନଙ୍କର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିପଣନ ହେଉଛି ଆଦିବାସୀ ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଚଳିତ ବର୍ଷ ଏହି ମେଳା ଫେବୃଆରୀ ୨୦ ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଦଶଦିନ ଧରି ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ ୧୨୧ ଟି ଷ୍ଟଲରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ ହେଉଛି । ମେଳାରେ ପ୍ରତ୍ୟେକ ସନ୍ଧ୍ୟା ୬.୩୦ ରୁ ୮.୩୦ ପର୍ଯ୍ୟନ୍ତ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଆଦିବାସୀ ମେଳାକୁ ରାଜ୍ୟ ତଥା ବାହାରୁ ପ୍ରାୟ ୮ରୁ ୧୦ ଲକ୍ଷ ଦର୍ଶକ
ଆସିଥାନ୍ତି। ଏହି ମେଳାରେ ୫ରୁ ୬ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଅଧିବାସୀମାନେ ତଥା ଭାରତର ବିଭିନ୍ନ ଅଞ୍ଚଳରୁ ଲୋକମାନେ ବହୁସଂଖ୍ୟାରେ ମେଳାକୁ ଆସିଥାନ୍ତି ଏବଂ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବର୍ଷକ ପାଇଁ ହଳଦୀ, ମାଣ୍ଡିଆ, ମୁଗ, ବିରି, ମକା, ବାସନା ଚାଉଳ, ମହୁ, ଝୁଣା, ଝାଡ଼ୁ, ପାଳୁଅ ଆଦି ଆଦିବାସୀ ତଥା ଜଙ୍ଗଲଜାତ ଦ୍ରବ୍ୟ ଏହି ମେଳାରୁ କ୍ରୟ କରିଥାନ୍ତି ।

ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୋଲିସ୍‌ ମୁତୟନ କରାଯିବା ସହିତ ସୁରକ୍ଷା ସଂସ୍ଥାକୁ ମଧ୍ୟ ନିୟୋଜନ
କରାଯାଇଛି । ମେଳା ପରିସରରେ ବିଭିନ୍ନ କୋଣରେ ଏକାଧିକ କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ଲଗାଯାଇଛି ଏବଂ ଏହାର ମନିଟର ପୋଲିସ୍‌ ରୁମ୍‌ ଓ ମୁଖ୍ୟ କଣ୍ଟ୍ରୋଲ ରୁମ୍‌ରେ ରହିଛି । କରୋନା ସତର୍କତା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା ବାର୍ତ୍ତା ଲଗାଯାଇଛି ତଥା ସାନିଟାଇଜର ଏବଂ ମାସ୍କ ବ୍ୟବହାର ପାଇଁ ପ୍ରବର୍ତ୍ତାଯାଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com