ମହାରାଷ୍ଟ୍ର: କାହା ମୁଣ୍ଡରେ ପିନ୍ଧା ହେବ ମୁକୁଟ? କିଏ ସମ୍ଭାଳିବ ଗାଦି? ମହାରାଷ୍ଟ୍ରରେ ଚାଲିବ କାହାର ଶାସନ? ଏଭଳି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏ କଥା ସ୍ପଷ୍ଟ ହୋଇଛି ଯେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦବରୁ ଇସ୍ତଫା ଦେବେ ଏକନାଥ ସିନେ୍ଦ । ତାଙ୍କ ଇସ୍ତଫା ପରେ ହିଁ ଏକ ନୂତନ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହେବ। ନିୟମ ଅନୁଯାୟୀ ତାଙ୍କୁ ପ୍ରଥମେ ଇସ୍ତଫା ଦେବାକୁ ପଡିବ। ଏହା ପରେ ହିଁ ସରକାର ଗଠନ କରିବାକୁ ଦାବି କରାଯିବ। କିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ ସେନେଇ କଳ୍ପନାଜଳ୍ପନା ଜାରି ରହିଛି।
ରାଜନୀତି ସମୀକ୍ଷକଙ୍କ ଆକଳନ ଅନୁସାରେ, ଏଥର ରଣନୀତିରେ ସାମାନ୍ୟ ପରିବର୍ତ୍ତନ ଆସିବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷେ ଭାଜପା ନେତାମାନେ ଚାହୁଁଛନ୍ତି ଯେ ଏଥର ଦେବେନ୍ଦ୍ର ଫଡନ୍ଭିସ୍ଙ୍କୁ ରାଜ୍ୟର ସିଏମ କରାଯାଉ। ଦଳର ନେତା ତଥା ସମର୍ଥକମାନେ ଯୁକ୍ତି କରୁଛନ୍ତି ଯେ ଭାଜପା ରାଜ୍ୟରେ ସର୍ବାଧିକ ସଂଖ୍ୟକ ଆସନ ଜିତିଛି ଏବଂ ଏଭଳି ପରିସ୍ଥିତିରେ ଭାଜପାର ସିଏମ ଚେୟାରରେ ଅଧିକାର ରହିଛି। ଅନ୍ୟପକ୍ଷରେ ଶିବସେନା କହିଛି ଯେ ବିହାର ଭଳି ଫର୍ମୁଲା ମହାରାଷ୍ଟ୍ରରେ କାର୍ୟ୍ୟକାରୀ ହେବା ଉଚିତ୍।
ଏଥି ସହ ଅଜିତ ପାୱାର କହିଛନ୍ତି ଯେ ବର୍ତ୍ତମାନ ପର୍ୟ୍ୟନ୍ତ ସିଏମ ପଦବୀ ସମ୍ପର୍କରେ କୌଣସି ଫର୍ମୁଲା ଉପରେ ଆଲୋଚନା କରାଯାଇ ନାହିଁ। ସେ କହିଛନ୍ତି ଯେ ତିନି ଦଳର ନେତା ଏକାଠି ବସିବେ ଏବଂ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ତେବେ ମହାରାଷ୍ଟ୍ରରେ କାହା ଶାସନ ଚାଲିବ ଓ କିଏ ଗାଦି ସମ୍ଭାଳିବ ତାହା ଆଗାମୀ ଦିନମାନଙ୍କରେ ସ୍ପଷ୍ଟ ହେବ ।