ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ସସପେନ୍ସ । କିଏ ହେବ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇନଥିବା ବେଳେ ଛକାପଂଝା ଖେଳୁଛନ୍ତି ବିଜେପି ଓ ଶିବସେନା । ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା। କୁହାଯାଉଛି କି, ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସ୍ଙ୍କ ମଧ୍ୟରେ ଆରମ୍ଭ ହୋଇଛି ଶୀତଳ ଯୁଦ୍ଧ । ସସ୍ପେନ୍ସରେ ଏଣ୍ଟ୍ରି ମାରିଛି ଶିବସେନା । ଯାହାକୁ କଟାକ୍ଷ କରି ଜବାବ ରଖିଛି ବିଜେପି ।
ଶିବସେନା ଖୋଲାଖୋଲି ଭାବେ କହିଛି, ସିନ୍ଦେ କେବେବି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ । ଶିବସେନା ମୁଖପାତ୍ର ସଞ୍ଜୟ ଶିରସାଟ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ମୁହଁକୁ ଚାହିଁ ବିଧାନସଭା ନିର୍ବାଚନ ଲଢ଼ାଯାଇଥିଲା। ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି।
ତେଣୁ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ଅଟନ୍ତି । ସେ ଆହୁରି କହିଛନ୍ତି, ଯେଉଁ ଚେହେରା ସାମ୍ନାକୁ ଆସିଛି, ତାକୁ ହିଁ ପ୍ରାଥମିକତା ଦିଆଯାଉ ବୋଲି ଆମର ଦାବି। ଯଦି ବିଜେପି ଆମର ଦାବି ପୂରଣ କରେ ତେବେ ଲୋକଙ୍କ ପାଖକୁ ଏକ ଭଲ ବାର୍ତ୍ତା ଯିବ । ଯଦି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଆସନ୍ତା ନିର୍ବାଚନରେ ଆମକୁ ଫାଇଦା ମିଳିବ। ସିନ୍ଦେଙ୍କ କାରଣରୁ ହିଁ ମହାୟୁତିକୁ ନିର୍ବାଚନରେ ଲାଭି ମିଳିଛି ।
ତେବେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏକନାଥ ସିନ୍ଦେ । ଦେବେନ୍ଦ୍ର ଫଡନାବିସ ଓ ଅଜିତ ପାଓ୍ୱାରଙ୍କ ଉପସ୍ଥିତିରେ ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ ଆସନରୁ ମହାୟୁତି ମେଣ୍ଟ ୨୩୦ ଆସନରେ ବିଜୟୀ ହୋଇଛି।