ଭୁବନେଶ୍ୱର: ଭୁବନେଶ୍ୱର ହେଲା ନୋ ଫ୍ଲାଇଙ୍ଗ ଜୋନ୍ । ୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଗସ୍ତରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ଥିବା ସ୍ଥାନକୁ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି। ସେହି ସ୍ଥାନରେ କୌଣସି ଡ୍ରୋନ୍ କାର୍ୟ୍ୟକ୍ରମ ସମୟରେ ଉଡ଼ି ପାରିବ ନାହିଁ ।
ନଭେମ୍ବର ୨୯ରୁ ଡିସେମ୍ବର ୧ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ଵର ସ୍ଥିତ ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଆୟୋଜିତ ହେବ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ମିଳନୀ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଲୋକ ସେବା ଭବନ, ରାଜ ଭବନ, ରାଜ୍ୟ ଗେଷ୍ଟ ହାଉସ୍, ମୈତ୍ରୀ ବିହାର ଏବଂ ଚନ୍ଦ୍ରଶେଖରପୁରରେ ଅବସ୍ଥିତ ଆଇପିଏସ୍ ମେସ୍ ପ୍ରମୁଖ ସ୍ଥାନ ନୋ ଫ୍ଲାଇଂ ଜେନ୍ ଘୋଷଣା କରାଯାଇଛି।
ଡିଜିପି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ଯୋଗଦେବେ। ପ୍ରଥମ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦଘାଟନ କରିବେ।