ଭୁବନେଶ୍ୱର: ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁକୁ ନେଇ ଏବେ ସବୁଠି ଚର୍ଚ୍ଚା । ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏହି ଧମକ ଆସିବା ପରେ ଏବେ ଜୋରସୋରରେ ଚାଲିଛି ତନାଘନା । ବରିଷ୍ଠ ସାମ୍ବାଦିକଙ୍କ ଘରେ ପହଂଚି ଏବେ ପନ୍ନୁ ପକ୍ଷରୁ ଆସିଥିବା ଅଡିଓ ମେସେଜକୁ ଯାଂଚ କରୁଛି କ୍ରାଇମବ୍ରାଂଚ ଟିମ ।
ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ନାଁରେ ଯେଉଁ ଇ-ମେଲ୍ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟରେ ପହଞ୍ଚିଛି ତାର ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚର ଜଣେ ସଦସ୍ୟ ଆସିଛନ୍ତି । ଶନିବାର ସକାଳ ୯ଟା ୪ ମିନିଟ୍ରେ ଆସିଥିଲା ମେଲ୍ । ଓଡ଼ିଆରେ ରହିଛି ଅଡିଓର ଥମ୍ବନେଲ୍ । ଓଡ଼ିଆରେ ଲେଖାଥିବାରୁ ପନ୍ନୁର ସ୍ଲିପିଂ ସେଲ୍ ଓଡିଶାରେ ରହିଛନ୍ତି କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଯାଞ୍ଚ ପରେ ମେଲ୍ର ସତ୍ୟତା ସାମ୍ନାକୁ ଆସିବ ।
ସେପଟେ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ରାଜଧାନୀରେ ବଢିଲା ସୁରକ୍ଷା । ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରିଛି କମିଶନରେଟ୍ ପୋଲିସ । ଆଲର୍ଟ ମୋଡ୍ରେ ଦାୟିତ୍ବରେ ଥିବା ସବୁ ଅଧିକାରୀ । କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ଓ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ଘଟଣାସ୍ଥଳକୁ ଆସିଛନ୍ତି ଅତିରିକ୍ତ ଫୋର୍ସ ।