ମହାରାଷ୍ଟ୍ର: ଦିଲ୍ଲୀ ଦରବାର ମୁହାଁ ମହାରାଷ୍ଟ୍ର ନେତା । ଶାହଙ୍କ ପାଖରେ ଚାଲିଛି ଲବି । କ୍ଷମତା ଲିଷ୍ଟରେ ନିଜକୁ ସାମିଲ କରିବା ପାଇଁ ଫୁଲ କସରତ କରୁଛନ୍ତି ଟାଣୁଆ ନେତା । ଦାବିଦାରଙ୍କ ସଂଖ୍ୟା ଅଧିକ, ହେଲେ କାହା ମୁଣ୍ଡରେ ହାତ ରଖିବେ ହାଇକମାଣ୍ଡ? ଶିନ୍ଦେ ଓ ଫଡନାଭିସଙ୍କ ପରେ ଏବେ ଦିଲ୍ଲୀ ଦରବାରୂ ମୁହାଁ ଜୁନିଅର ପୱାର ।
ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ଦିନ ବିତି ଗଲାଣି, କିନ୍ତୁ ଏପର୍ୟ୍ୟନ୍ତ ମହାୟୁତି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହାଁନ୍ତି। ଏହାରି ଭିତରେ ଏନସିପି ନେତା ଅଜିତ ପୱାର ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ଅଜିତ ପୱାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ଏହି ବୈଠକରୁ ଅନେକ ଅର୍ଥ ଅନୁମାନ କରାଯାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ ଅଜିତ ପାୱାର ବିଜୟ ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନାଭିସଙ୍କୁ ସମର୍ଥନ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କ ନାମ ଆଗରେ ରହିଛି। ତେବେ ରାଜନୈତିକ ସର୍କଲରେ ବିଭିନ୍ନ ପ୍ରକାରର ରାଜନୈତିକ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି। ରାଜନନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ମହାରାଷ୍ଟ୍ରରେ ଆଶ୍ଚର୍ୟ୍ୟଜନକ ଢାଞ୍ଚାରେ ଏକ ନୂତନ ଚେହେରାକୁ ମୁଖ୍ୟମନ୍ତ୍ରୀ କରାଯାଇପାରେ।
ସେପଟେ ଏକନାଥ ଶିନ୍ଦେ ଗୋଷ୍ଠୀର କର୍ମକର୍ତ୍ତାମାନେ କ୍ରମାଗତ ଭାବରେ ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଥିଲେ। ଏହି ସମୟରେ, ମହାୟୁତିର ବିପୁଳ ବିଜୟ ପରେ ଶିନ୍ଦେ ସ୍ପଷ୍ଟ କରିଥିଲେ ଯେ ସେ ଭାଜପାର ନିଷ୍ପତ୍ତି ଗ୍ରହଣ କରିବେ। ଭାଜପା ଯାହା ନିଷ୍ପତ୍ତି ନିଏ, ସେମାନେ ଏହାକୁ ଗ୍ରହଣ କରିବେ। ଦିଲ୍ଲୀରୁ ଫେରିବା ପରେ ଶିନ୍ଦେ ନିଜ ଗାଁକୁ ଯାଇଥିଲେ। ଗତକାଲି ଶିନ୍ଦେ ନିଜ ଗାଁରୁ ମୁମ୍ବାଇ ଫେରିଥିଲେ ଏବଂ ପୁଣିଥରେ ତାଙ୍କ ମତକୁ ଦୋହରାଇ କହିଥିଲେ ଯେ ସେ ଭାଜପାର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ତେବେ ଅଜିତ ପୱାରଙ୍କ ଦିଲ୍ଲୀ ଗସ୍ତ ଆଲୋଚନାକୁ ଆହୁରି ନିଆଁ ଦେଇଥିବା ଚର୍ଚ୍ଚା ହେଉଛି ।