ଭୁବନେଶ୍ୱର: ଶୂନ୍ୟକାଳରେ ଆଳୁ ତାତି । ନାନାବାୟା କଥା କହୁଛନ୍ତି ସରକାର । ବିରୋଧୀ ଆଣିଲେ ଅଭିଯୋଗ । ଗୃହରେ ଆଳୁ ପ୍ରସଙ୍ଗକୁ ନେଇ ଗର୍ଜିଲେ ବିରୋଧୀ । ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । କହିଛନ୍ତି, ଆଳୁ ନେଇ ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ।
ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣିଥିବା କହୁଛନ୍ତି, ହେଲେ ଦୋକାନରୁ କିଣିଲେ ୬୦ ଟଙ୍କା କିଲୋ ହୋଇଗଲାଣି । ସରକାର କେବଳ ନାନାବାୟା କଥା କହୁଛନ୍ତି। କ’ଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ମଲ୍ଲିକ । ମନ୍ତ୍ରୀ କେତେବେଳେ କହୁଛନ୍ତି ଆଳୁ ଟ୍ରେନରେ ଆସୁଛି । ଡବଲ ଇଞ୍ଜିନ ସରକାର ହୋଇ କାହିଁକି ଇଞ୍ଜିନ ଟାଣିପାରୁନାହିଁ ବୋଲି କଟାକ୍ଷ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ଆଳୁ ଦର ନିୟନ୍ତ୍ରଣ ପାଇଁ କାହାକୁ ଚିଠି ଲେଖିଛନ୍ତି ? ସ୍ପଷ୍ଟୀକରଣ ଦିଅନ୍ତୁ ସରକାର ? ଉତ୍ତର ପ୍ରଦେଶରୁ ଆଳୁରେ ୫୦ କେଜିରେ ୧୦ କେଜି ଆଳୁ ପଚା ବାହାରୁଛି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
କେବଳ ପ୍ରମିଳା ବୋଲି ନୁହଁନ୍ତି, ବିରୋଧୀ ବିଜେଡି ସହ କଂଗ୍ରେସ ମଧ୍ୟ ଗୃହରେ ସ୍ୱର ଉଠାଇଛନ୍ତି । ସରକାର ଆସିବା ପରେ ଆଳୁ ସହ ସବୁ ଦରଦାମ ବୃଦ୍ଧି ପାଉଛି । ଆଳୁ ଆସୁଛି ଆସୁଛି ବୋଲି କହୁଛନ୍ତି କିନ୍ତୁ ଆଳୁ ୪ ମାସ ହେଲା ଆଳୁ ଆସିପାରୁନାହିଁ । ଖାଉଟି ହନ୍ତସନ୍ତ ହେଉଛନ୍ତି, ବିଭାଗୀୟ ମନ୍ତ୍ରୀ ଶସ୍ତା ମନ୍ତବ୍ୟ ଦେଉଛନ୍ତି, ମନ୍ତ୍ରୀ ଏଥିରୁ କ୍ଷାନ୍ତ ରୁହନ୍ତୁ ବୋଲି ମତ ଦେଇଛନ୍ତି କଂଗ୍ରେସ ବିରୋଧୀ ଦଳ ନେତା ।