ମୟୂରଭଞ୍ଜ: ଯେଉଁ ଭୁଇଁରେ ଦିନେ ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିଥିଲେ ସେଠି ରାଷ୍ଟ୍ରପତି ହେବା ପରେ ସ୍ମୃତି ସାଉଁଟିଛନ୍ତି ମହାମହିମ । ଜନ୍ମସ୍ଥାନ ମୟୂରଭଞ୍ଜରେ ପହଂଚି ସେ ପଢିଥିବା ଉପରବେଡ଼ା ଗାଁ ସ୍କୁଲ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠି ଆୟୋଜିତ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର ବ୍ୟବସ୍ଥା ରହିଛି । ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉପରବେଡାକୁ ସୁସଜ୍ଜିତ କରାଯାଇଛି । ସୂଚନା ଥାଉକି, ନିଜ ଜନ୍ମମାଟି ତଥା ବାଲ୍ୟ ବିଦ୍ୟାଳୟରେ ପାଦ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଉପରବେଡ଼ା ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସଭାରେ ନିଜ ଭାଷଣରେ ନିଜ ପିଲାଦିନର ସ୍ମୃତିକୁ ମନେପକାଇ ଥିଲେ । ବିଦ୍ୟାଳୟକୁ ଆସି ସେ ବଦଳିଥିବା ଚିତ୍ର ଦେଖି ଆଶ୍ଚର୍ୟ୍ୟ ପ୍ରକଟ କରିଥିଲେ । କାରଣ ସେତେବେଳର ମାଟିଝାଟି ସ୍କୁଲ ବଦଳି ଏବେ ପକ୍କା ଓ ସୁନ୍ଦର ହୋଇଛି । ନିଜ ବାଲ୍ୟ ସ୍ମୃତି ମନେପକାଇ କିଭଳି ସେ ତାଙ୍କ ସହପାଠୀଙ୍କ ସହିତ ପ୍ରତି ଶନିବାର ଦିନ ଶ୍ରେଣୀ କକ୍ଷକୁ ଗୋବର ଦେଇ ଲିପାପୋଛା କରୁଥିଲେ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମହାମହିମଙ୍କ ସୁରକ୍ଷା ପାଇଁ ସୁରକ୍ଷା ଦୃଷ୍ଟିରୁ ଉପରବେଡ଼ା ସମେତ ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ତ୍ରୁଟି ନହୁଏ ଏପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିବା ପୁଲିସ ପ୍ରଶାସନ କହିଛି। ୩ୟ ଶ୍ରେଣୀରେ ସେ ଯେତେବେଳେ ମେଧାବୃତ୍ତି ପାଇଥିଲେ ତାଙ୍କ ପାଖରେ କଲମ ଟିଏ ମଧ୍ୟ ନଥିଲା। ବାପାଙ୍କୁ କହିବାରୁ ସେ ଜଣେ ଲୋକଠୁ ମାଗିଆଣି ଗୋଟିଏ ପୁରୁଣା କଲମ ଦେଇଥିମେ ଯାହା କାଳୀ ଝରି ତାଙ୍କ ପୋଷାକ ମଧ୍ୟ ଖରାପ ହେଉଥିଲା। ନିଜ ବାଲ୍ୟ ଶିକ୍ଷକ ମାନଙ୍କୁ ମଧ୍ୟ ସେ ମନେ ପକାଇଥିଲେ। ସମଗ୍ର ଗାଁ କିଭଳି ତାଙ୍କୁ ଭଲ ପାଉଥିଲା ସେକଥା ମଧ୍ୟ ସେ ମନେ ପକାଇଥିଲେ।