ଭୁବନେଶ୍ୱର: ଗୃହରେ ମୁହାଁମୁହିଁ ହେଲେ ବିଧାୟକ । ଲାଗିଲା କଳି । ଶାସକ-ବିରୋଧୀ ନୁହେଁ ବରଂ ନିଜ ଭିତରେ ଲଗାଇଲେ କଳି । ମୁହଁ ଫୁଲାଫୁଲି ଭିତରେ ମଧ୍ୟସ୍ଥି ସାଜିଲେ ବାହିନୀପତି ଓ ସାଉଁଟା । ଆଜି ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଶୀତ ଅଧିବେଶନର ପ୍ରଶ୍ନକାଳରେ । ପ୍ରଶ୍ନ ପଚାରିବାକୁ ନେଇ କଂଗ୍ରେସର ଦୁଇ ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଛନ୍ତି । ଖବର ଅନୁଯାୟୀ, ଗୋଟିଏ ଦିନର ବିରତି ପରେ ସୋମବାର ଦିନ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ହେଲେ ପ୍ରଶ୍ନକାଳ ଆରମ୍ଭ ହେବାର କିଛି ସମୟରେ ବିଧାନସଭାରେ ଦେଖିବାକୁ ମିଳିଥିଲା ଏକ ଅଜବ ଘଟଣା । ପ୍ରଶ୍ନ ପଚାରିବାକୁ ନେଇ କଂଗ୍ରେସ ବିଧାୟକ ଡକ୍ଟର ସିଏସ୍ ରାଜନ ଏକ୍କା ଏବଂ ଦାଶରଥୀ ଗମାଙ୍ଗ ମୁହାଁମୁହିଁ ହୋଇଥିଲେ ।
ତେବେ ପରିସ୍ଥିତି ବିଗୁଡୁଥିବା ଦେଖି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଧାୟକ ପବିତ୍ର ସାଉଁଟା ହସ୍ତକ୍ଷେପ କରି ବୁଝାସୁଝା କରିଥିଲେ । ଯାହାଫଳରେ ବିବାଦରେ ଅନ୍ତ ହୋଇଥିବା ଦେଖିବାକୁ ମିଳିଛି ।