ଭୁବନେଶ୍ୱର: ପୋଲାଭରମକୁ ନେଇ ଗର୍ଜିବ ବିଜେଡି । ଜୋରଦାର ହେବ ଆନେ୍ଦାଳନ । ଜାନୁଆରୀରୁ ପୋଲାଭରମକୁ ନେଇ ଅଣ୍ଟା ଭିଡିବ ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆନେ୍ଦାଳନକୁ ଓହ୍ଲାଇବ ଦଳ । ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ପୁଣି ଉଠିବ ପୋଲାଭରମ ପ୍ରସଙ୍ଗ । ଏନେଇ ବିଜେଡି ସୁପ୍ରିମୋ ନବୀନ କହିଛନ୍ତି, ମୁଁ ବି ଲଢ଼ିବି, ତୁମେ ବି ଶେଷ ଯାଏଁ ଲଢ଼ । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି। ମାଲକାନଗିରି ବାସିନ୍ଦା ମତାମତକୁ ଅପେକ୍ଷା କରାଯାଇଛି । ସେମାନଙ୍କ ମତାମତ ଆସିବା ପରେ, ଆଗାମୀ ଦିନରେ ଆନ୍ଦୋଳନର ରୂପରେଖ ସ୍ଥିର ହେବ।
ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେଇଥିଲା । ତାଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଏଁ ବିଜେଡିର ୭ ଜାଣିଆ ଟିମ ଓ ୭ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, ସିଡବ୍ଲୁସି, ଆଦିବାସୀ ବ୍ୟାପାର ବିଭାଗ ଆଦିବାସୀ କମିସନଙ୍କୁ ଭେଟିଥିଲା । ଆଜି ସେ ସମ୍ପର୍କରେ ନବୀନଙ୍କୁ ଅବଗତ କରାଗଲା । ଜାନୁଆରୀରୁ ହେବାକୁ ଥିବା ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ । ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ବୋଲି ବିଜେଡି କହିଛି।