ନୂଆଦିଲ୍ଲୀ: ଓଡିଆ ପୁଅ ଅରୁଣ କୁମାର ସାହୁ ହେଲେ ବୁଲଗେରିଆର ରାଷ୍ଟ୍ରଦୂତ । ଖୁବଶୀଘ୍ର ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ୧୯୯୬ ବ୍ୟାଚର ଏହି ଆଇଏଫଏସ ଅଧିକାରୀ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପୂର୍ବରୁ ଅରୁଣ କେନ୍ଦ୍ର ୟୁରୋପୀୟ ଯୁଗ୍ମ ସଚିବ ଏବଂ କାନାଡାର ଉପ ଉଚ୍ଚାୟୁକ୍ତ ଦାୟିତ୍ୱ ସଫଳତାର ସହିତ ତୁଲାଇ ସାରିଛନ୍ତି । ଏହାସହିତ ବେଜିଂ, ଲଣ୍ଡନ, ତେହେରାନରେ ଥିବା ଭାରତୀୟ ଦୂତାବାସରେ କାର୍ୟ୍ୟ କରିବା ସହ ତ୍ରିନିଦାଦ-ଟବାଗୋରେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତ ଭାବେ ସେ ଦାୟିତ୍ୱ ସମ୍ପାଦନ କରିଛନ୍ତି ।
ଏପଟେ ଏହି ଖବର ପ୍ରଚାରିତ ହେବାପରେ ଓଡିଶାରୁ ଶ୍ରୀଯୁକ୍ତ ସାହୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶେଷକରି ଦେବଗଡ଼ ଜିଲ୍ଲାର ଗୋହିରା ଡ୍ୟାମ୍ ନିକଟବର୍ତ୍ତୀ ପୈତୃକ ଗ୍ରାମ କଂସର ଠାରେ ଖୁସିର ଲହରି ଖେଳିଯାଇଛି । ଏହି ଗ୍ରାମର କବି ତଥା ଚିକିତ୍ସକ ସ୍ୱର୍ଗତ ବନମାଳୀ ସାହୁ ଏବଂ ସରୋଜିନୀ ସାହୁଙ୍କ ପୁତ୍ର ହେଉଛନ୍ତି ଅରୁଣ । ଶ୍ରୀଯୁକ୍ତ ସାହୁ ବିଚକ୍ଷଣ କୂଟନୀତିଜ୍ଞ ହେବା ସହ ଜଣେ ସୁଲେଖକ ମଧ୍ୟ । ଉଭୟ ଓଡିଆ ଏବଂ ଇଂରାଜୀରେ ସେ ଖୁବ୍ ସୁନ୍ଦର ଗଳ୍ପ ଲେଖିପାରନ୍ତି । ତାଙ୍କର କ୍ଷୁଦ୍ରଗଳ୍ପ ସଂକଳନ ‘ଆକାଶର ଲୁହ’, ‘ଚିରା ମଲାଟ’ ଯାଯାବର ଯାତ୍ରା ଏବଂ କବିତା ସଂକଳନ ଶୂନ୍ୟର ସନ୍ତୁଳନ ସାହିତ୍ୟିକଙ୍କ ମଧ୍ୟରେ ପ୍ରଶଂସା ସାଉଣ୍ଟିଛି ।
ସେହିପରି Trinidad and Tobago: A Diplomat’s Cultural Expedition ଏବଂ Iguana and Other Poems ଆଦି ରଚନା ଇଂରାଜୀ ପାଠକଙ୍କ ନିକଟରେ ଆଦୃତ ହୋଇଛି । ଏହା ବ୍ୟତୀତ ଅରୁଣ କୁମାର ସାହୁଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି । ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷା ମନସ୍କ କରିବା ଉଦେ୍ଦଶ୍ୟରେ ସେ ପ୍ରତିବର୍ଷ ମାତୃଭାଷାରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରୁଛନ୍ତି । ଯାହା “ଡଃ. ବନମାଳୀ ସାହୁ ସ୍ମାରକୀ ପ୍ରବନ୍ଧ ପ୍ରତିଯୋଗିତା” ନାମରେ ପରିଚିତ ।