ନୂଆଦିଲ୍ଲୀ: ବାଜିଲା ବିଗୁଲ । ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ପ୍ରେସମିଟ କରି ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଜାନୁଆରୀ ୧୦ରେ ବିଧିବଦ୍ଧ ବିଜ୍ଞପ୍ତି ଘୋଷଣା କରାଯିବା । ନୋମିନେସନ ଫାଇଲ କରିବାର ଶେଷ ତାରିଖ ୧୭ ଜାନୁଆରୀ ଧାର୍ଯ୍ୟ କରାଯାଇଥିବା ବେଳେ, ୧୮ ତାରିଖରେ ଯାଂଚ ପ୍ରକ୍ରିୟା ଶେଷ ହେବ । ସେହିପରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ୨୦ ଜାନୁଆରୀ ରହିଛି । ଫେବୃଆରୀ ୫ରେ ପଡ଼ିବ ଭୋଟ । ୮ରେ ହେବ ଗଣତି । ମୋଟ ୭୦ ବିଧାନଭା ଆସନ ପାଇଁ ହେବ ଲଢେଇ ।
ଯଦି ୨୦୧୫ ନିର୍ବାଚନ ପୃଷ୍ଠା ଓଲଟାଇ ଦେଖିବା ତେବେ ଯେଉଁଠି ମାତ୍ର ୩ଟି ସିଟରେ ବିଜୟୀ ହୋଇଥିଲା ବିଜେପି ସେଠି ୬୭ ଟି ଆସନରେ ବିପୁଳ ବାଜି ମାରିଥିଲା ଆମ ଆଦମୀ ପାର୍ଟି । ସେହି ସ୍ଥାନରେ ଗୋଟିଏ ବି ଆସନରେ ଜିତି ଖାତା ଖୋଲିନଥିଲା କଂଗ୍ରେସ । କିନ୍ତୁ ଏଥର ତ୍ରିକୋଣୀୟ ଲଢେଇରେ ଦୁଲୁକିବ ଦିଲ୍ଲୀ ସିଂହାସନ । ଶେଷ ଥର ପାଇଁ ୧୫ ବର୍ଷ ଓ ୨୫ ଦିନର ଶାସନ କରିଥିଲା କଂଗ୍ରେସ । ଥରେ ନୁହେଁ କି ଦୁଇ ଥର ନୁହେଁ, ତିନି ତିନି ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ୍ । କିନ୍ତୁ ତା ପରେ କଂଗ୍ରେସ ହାତର ଯାଦୁ ଆଉ ଚାଲିନଥିଲା । ୨୦୧୩ରେ ଦିଲ୍ଲୀ ରାଜୁତି ଭାର ସମ୍ଭାଳିଥିଲେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ମାତ୍ର ଏକ ବର୍ଷ ପରେ ରାଷ୍ଟ୍ରପତି ଶାସନରେ ପରିଚାଳିତ ହୋଇଥିଲା ଦେଶର ରାଜଧାନୀ । ପରବର୍ତ୍ତୀ ସମୟରେ ୨୦୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପ୍ ଏହି ଗାଦିରେ ବସି ଶାସନ କରିଆସୁଛି ।
କିନ୍ତୁ ଏଥର କେନ୍ଦ୍ରରେ ଥିବା ବିଜେପି ସରକାର ମଧ୍ୟ ୧୯୯୮ର ସୁଷମା ସ୍ୱରାଜଙ୍କ ପରେ ଖାଲି ପଡିଥିବା ବିଜେପି ସିଏମଙ୍କ ବହିରେ ନୂଆ ପୃଷ୍ଠା ଯୋଡ଼ିବାକୁ ଅଣ୍ଟା ଭିଡ଼ିବା ଆରମ୍ଭ କରିଦେଇଛି । କିନ୍ତୁ ସବୁ ଥର ପରି ଜନତା ଜନାର୍ଦ୍ଦନ ଏବେ କେଉଁ ଦଳ ଉପରେ ଭୋଟ ଦେଇ ଆର୍ଶୀବାଦ ଅଜାଡ଼ିବେ ତାହା ଦେଖିବା ବାକି ରହିଲା ।