ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ବର୍ତ୍ତମାନ ଫୋକସ ରହିଛି ମାଲକାନଗିରି: ଏସଆରସି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଦେଓରଞ୍ଜନ କୁମାର ସିଂ । ଆଜି ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଶ୍ରୀ ସିଂ କହିଛନ୍ତି ଯେ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ଏବେ ଫୋସକରେ ରହିଛି ।
ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି, ଗମନାଗମନ ପ୍ରଭାବିତ ହୋଇଛି। ବର୍ଷା ଲାଗି ରହିବାରୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ତେବେ ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଏସ୍ଆର୍ସି ଦେଓରଞ୍ଜନ କୁମାର ସିଂ। ସୋମବାର ଏନେଇ ଏକ ସମୀକ୍ଷା ବୈଠକରେ ଏସ୍ଆର୍ସି ସୂଚନା ଦେଇଛନ୍ତି ।
ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍ ମୁତୟନ ରହିଛନ୍ତି । ଆସନ୍ତାକାଲି ବର୍ଷା ସମ୍ଭାବନା ଥିବାରୁ ସଜାଗ ରହିଛୁ ବୋଲି ଏସ୍ଆର୍ସି କହିଛନ୍ତି । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ପ୍ରାୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି । ବିଶେଷକରି ମାଲକାନଗିରି ଜିଲାର ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇବାରୁ ନଦୀ ଉପରେ ପ୍ରାୟ ୩ ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁ ନଦୀର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି l
ମାଥିଲି ବ୍ଲକ ପାଙ୍ଗାମ ନଦୀ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବା ବେଳେ କାଲିମେଳା ବ୍ଲକ କାଙ୍ଗୁରୁକୋଣ୍ଡା ନଦୀ ଉପରେ ମଧ୍ୟ ପ୍ରାୟ ୪ ଫୁଟର ବର୍ଷାଜଳ ପ୍ରବାହିତ ହେଉଅଛି । ବିଶେଷକରି ପୋଟେରୁ ନଦୀ ପୋଲ ଉପରେ ମଧ୍ୟ ୫ ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହୋଇ ଗାଁ ଭିତରେ ପଶିଛି। ଯାହାଫଳରେ ପୋଟେରୁ ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି।
ସେହିପରି ଚିତ୍ରକୋଣ୍ଡା ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ୬ଟି ଓଡ୍ରାଫ ଟିମ ମୁତୟନ କରାଯାଇଛି । ଅନ୍ୟ ଓଡ୍ରାଫ ଟିମକୁ ବି ଦକ୍ଷିଣ ଓଡ଼ିଶାକୁ ପଠାଯାଇଛି । ଆସନ୍ତାକାଲି ବି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଆମେ ସଜାଗ ଅଛୁ ବୋଲି ଏସଆରସି କହିଛନ୍ତି ।