ସତ ହେବକି EXIT POLL !
![](https://i0.wp.com/odia.mobilenews24x7.com/wp-content/uploads/2025/02/MixCollage-02-Feb-2025-11-36-PM-4757_1738519582251_1738519605914.webp?resize=549%2C309&ssl=1)
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଶେଷ ହୋଇଛି। ଆସନ୍ତା ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଭୋଟିଂ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସି ଲୋକଙ୍କ ମତାମତ ନେଇ ଭିନ୍ନ ଭିନ୍ନ ରେଜଲ୍ଟ ଜାରି କରିଛନ୍ତି।
ଦୁଇ ତିନୋଟି ସଂସ୍ଥାକୁ ଛାଡ଼ି ଦେଲେ ବାକି ସବୁ ସର୍ଭେ ସଂସ୍ଥା ଦେଶର ରାଜଧାନୀ ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ପଦ୍ମ ଫୁଟିବ ବୋଲି ଆକଳନ କରିଛନ୍ତି। ଏହାର ଅର୍ଥ ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବ। କିନ୍ତୁ ହ୍ୟାଟ୍ରିକ ବିଜୟ ହାସଲ ପାଇଁ ସ୍ବପ୍ନ ଦେଖୁଥିବା ଆପ୍କୁ ବିଜେପି ଦିଲ୍ଲୀରେ ଅଟକାଇବାକୁ ସକ୍ଷମ ହେବ ବୋଲି ବିଭିନ୍ନ EXIT POLL ରେ ପ୍ରକାଶ ପାଇଛି । ଅନ୍ୟପଟେ କଂଗ୍ରେସ ୨୦୧୫ ଓ ୨୦୨୦ ଭଳି ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିବ ବୋଲି ଏକଜିଟ ପୋଲରେ ପୂର୍ବାନୁମାନ କରାଯାଇଛି।
ଏକଜିଟ ପୋଲ ରେଜଲ୍ଟ ପରେ ବିଜେପି ନେତା ଓ କର୍ମୀ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଯୋଗୁ ବିଜେପି ଦିଲ୍ଲୀ ଦଖଲ କରିବାକୁ ଯାଉଥିବା ସେମାନେ କହିଛନ୍ତି। କିନ୍ତୁ ଆପ୍ ଏପରି ଏକଜିଟ ପୋଲ ରେଜଲ୍ଟକୁ ମାନିବାକୁ ନାରାଜ। ଦିଲ୍ଲୀରେ ହ୍ୟାଟ୍ରିକ ବିଜୟ ହାସଲ କରିବ ବୋଲି ଦଳ ଦାବି କରିଛି ।
ପାଖାପାଖି ୧୦ଟି ସଂସ୍ଥାର ଏକଜିଟ ପୋଲକୁ ଦେଖିଥିଲେ ବିଜେପି ଦିଲ୍ଲୀର ୭୦ଟି ଆସନରୁ ୩୯ଟି, ଆପ ୩୦ଟି ଓ କଂଗ୍ରେସ ୧ଟି ଆସନ ଜିତିବ। ଦିଲ୍ଲୀରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬। ବିଜେପି ଏହା ଠାରୁ ଅଧିକ ୩ଟି ଆସନ ଜିତି ସରକାର କରିବ ବୋଲି ସର୍ଭେ ସଂସ୍ଥାଗୁଡ଼ିକ କହିଛନ୍ତି।
ଏକଜିଟ ପୋଲରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ଦାବି କରାଯାଇଥିଲେ ମଧ୍ୟ ଏହା ଶତ ପ୍ରତିଶତ ଠିକ ହେବ, କି ନାହିଁ ତାହା କହିବା ବି ମୁସ୍କିଲ। କାରଣ ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନ ଓ ୨୦୨୪ ହରିୟାଣା ଏବଂ ଝାରଖଣ୍ଡ ବିଧାନସଭା ନିର୍ବାଚନ ପରେ ପ୍ରକାଶ ପାଇଥିବା ଏକଜିଟ ପୋଲ ରେଜଲ୍ଟ କଥା ପ୍ରାୟ ସମସ୍ତଙ୍କର ମନେଥିବ। ସେହିପରି ୨୦୨୪ ସାଧାରଣ ନିର୍ବାଚନରେ ଏକଜିଟ ପୋଲ ସଂପୂର୍ଣ୍ଣ ଭାବେ ଫେଲ ମାରିଥିଲା। ତେଣୁ ଏଥର ଦିଲ୍ଲୀରେ ଏକଜିଟ ପୋଲ ରେଜଲ୍ଟ ଯେ ଠିକ ହେବା କି ନାହିଁ ତା’ର ମଧ୍ୟ କୌଣସି ଗ୍ୟାରେଣ୍ଟୀ ନାହିଁ। ହରିୟାଣା, ଝାରଖଣ୍ଡ ଓ ଛତିଶଗଡ଼ ଭଳି ଦିଲ୍ଲୀରେ ମଧ୍ୟ ଏକଜିଟ ପୋଲ ଗଣତି ବଦଳି ଯିବାର ବି ସମ୍ଭାବନା ରହିଛି।