Breaking Newsଜାତୀୟରାଜନୀତି

ଆଞ୍ଚଳିକ ଦଳ ପାଇଁ ସତର୍କ ଘଣ୍ଟି ଦେଲା ଦିଲ୍ଲୀ ଜନାଦେଶ

ନୂଆଦିଲ୍ଲୀ : ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପର ଲଗାତାର ବିଜୟ ଧାରାରେ ବ୍ରେକ ଲଗାଇଲା ବିଜେପି । ଦେଶର ରାଜଧାନୀକୁ କବଜା କଲା ଭାରତୀୟ ଜନତା ପାର୍ଟି । ଦୀର୍ଘ ୨୭ ବର୍ଷର ବନବାସ ସାରି ଦିଲ୍ଲୀର ନେତୃତ୍ୱ ନେବ ବିଜେପି । ଏହା ସହ ବିଜେପି ବିଜୟରେ ଯୋଡି ହେଲା ଆଉ ଏକ ରାଜ୍ୟ । ବର୍ତ୍ତମାନ ଦିଲ୍ଲୀ ନିର୍ବାଚନ ଦେଶର ସମସ୍ତ ଆଞ୍ଚଳିକ ଦଳ ଲାଗି ସତର୍କ ଘଣ୍ଟି ବୋଲି ବିଭିନ୍ନ ରାଜନୈତିକ ଦଳ ମାନେ ଆକଳନ କରୁଛନ୍ତି । ଏହା ସମସ୍ତ ଆଞ୍ଚଳିକ ଦଳ ପାଇଁ ବିପଦ ଓ ଚ୍ୟାଲେଞ୍ଜ ବୋଲି ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି ।

ଅନ୍ୟପଟେ ଗୋଟିଏ ପରେ ଗୋଟେ ରାଜ୍ୟରେ ନିର୍ବାଚନୀ ସଫଳତା ହାସଲ କରିବାରେ ଲାଗିଛି ବିଜେପି । ବିଶେଷ କରି ଆଞ୍ଚଳିକ ଦଳ ଶାସିତ ରାଜ୍ୟରେ ବିଜେପି ଏବେ ସରକାର ଗଢିବାରେ ସକ୍ଷମ ହେଉଛି । ଯେଉଁଠି ସରକାର ଏକାକୀ ସରକାର ଗଠନ ନହେଉଛି ସେଠାରେ ମେଣ୍ଟ କରି ସରକାର ଗଢୁଛି ବିଜେପି। ଏହା ସହ ଭୋଟ ପ୍ରତିଶତ ବୃଦ୍ଧି ହେବା ସହ ସିଟ ଦଖଲ କରିବାରେ ଦଳ ସଫଳ ହେଉଛି । ଉତ୍ତର ପ୍ରଦେଶରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଏବେ ଶେଷରେ ଦିଲ୍ଲୀ ଦରବାରରେ ପହଞ୍ଚିଛି । ସମାଜବାଦୀ ସରକାରକୁ ହଟେଇ ଉତ୍ତର ପ୍ରଦେଶରେ ଲଗାତାର ଦୁଇ ଥର ସରକାର ଗଠନ କଲାଣି ବିଜେପି । ଗତ ସାଧାରଣ ନିର୍ବାଚନରେ ଓଡିଶାରେ ମଧ୍ୟ ବଡ଼ ବିପର୍ଯ୍ୟୟ କରିଛି ମୋଦି ଲହର। ଲଗାତାର ୫ ଥର ନିର୍ବାଚନରେ ସଫଳତା ପାଇଥିବା ବିଜେଡିକୁ ଦଳ ଧୂଳି ଚଟେଇ ସରକାର ଗଢିଛି ବିଜେପି।

ସେହିପରି ଆନ୍ଧ୍ରପ୍ରଦେଶ ଓ ବିହାରରେ ମେଣ୍ଟ ସରକାର କରି ବିଜେପି ସଫଳ ହୋଇଛି । ମମତା ଦିଦିଙ୍କ ପଶ୍ଚିମବଙ୍ଗରେ ସରକାର ଗଠନ କରିନଥିଲେ ବି ଭୋଟ ପ୍ରତିଶତ ସହ ବିଜେପିର ସିଟ ସଂଖ୍ୟା ବଢିଛି । ନିକଟରେ ହୋଇଥିବା ନିର୍ବାଚନରେ ମହାରାଷ୍ଟ୍ରରେ ସରକାରକୁ ପୁନର୍ବାର ବିଜେପି ଫେରିଛି। ଝାଡଖଣ୍ଡରେ ସରକାର ଗଠନ କରିନଥିଲେ ମଧ୍ୟ ବିଜେପି ମୁଖ୍ୟ ବିରୋଧୀ ହୋଇ ଉଭା ହୋଇଛି । ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଜେପି ସରକାର ଗଠନ ଆଶା ରଖିଥିଲା । କିନ୍ତୁ ଏଥିରେ ଦଳ ସଫଳ ହୋଇନଥିଲେ ବି ଖାତାରେ ସିଟ ସଂଖ୍ୟା ବଢିଛି । ଅନ୍ୟ ଆଞ୍ଚଳିକ ଦଳ ଶାସିତ ରାଜ୍ୟରେ ଜୋରଦାର ଗୋଟି ଚାଳନା କରୁଛି ବିଜେପି । ସେଠାରେ ଆଞ୍ଚଳିକ ଶକ୍ତିକୁ ମୁକାବିଲା କରିବା ସହ କ୍ଷମତାକୁ କେମିତି ଆସିବ ସେଥିପାଇଁ ଏବେଠାରୁ ଅଙ୍କ କଷୁଛି ବିଜେପି ।

 

Related Articles

Back to top button
WP Twitter Auto Publish Powered By : XYZScripts.com