ଚାମ୍ପିଅନ୍ସ ଟ୍ରଫି ଖେଳିବେନି ବୁମରା

ନୂଆଦିଲ୍ଲୀ : କ୍ରିକେଟ ପ୍ରେମୀଙ୍କୁ ଲାଗିଲା ବଡ ଝଟକା । ଭାରତୀୟ ଦଳର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମରା ଆଗାମୀ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି । ଆଜି ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି ଓ ବୁମରାଙ୍କୁ ଏହି ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଯୁବ ପେସ୍ ବୋଲର ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ପେସ୍ ବୋଲର ମହମ୍ମଦ ସିରାଜ ଓ ଅଲ୍ରାଉଣ୍ଡର ଶିବମ ଦୁବେ ଅନ୍ୟ ୨ ରିଜର୍ଭ ଖେଳାଳି ଭାବେ ରହିଛନ୍ତି । ଗତ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟରେ ବୁମରା ଆହତ ହୋଇଥିଲେ । ବର୍ତ୍ତମାନ ସେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ଚିକିତ୍ସିତ ହେଉଛନ୍ତି । ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଗତ ମାସରେ ଘୋଷଣା କରାଯାଇଥିବା ସମ୍ଭାବ୍ୟ ଦଳରେ ବୁମରାଙ୍କୁ ସ୍ଥାନ ମିଳିଥିଲା । ସଠିକ୍ ସମୟରେ ସେ ଫିଟ୍ ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ଏପର୍ୟ୍ୟନ୍ତ ଫିଟ୍ ହୋଇନଥିବା ବେଳେ ବୋଲିଂ ଅଭ୍ୟାସ ମଧ୍ୟ ଆରମ୍ଭ କରିପାରିନାହାନ୍ତି । ଗତ ୭ ତାରିଖରେ ବୁମରାଙ୍କ ଯନ୍ତ୍ରଣା ସ୍ଥାନର ଦ୍ୱିତୀୟ ସ୍କାନ କରାଯାଇଥିଲା । ଏନସିଏ ମେଡିକାଲ୍ ଟିମ୍ ମଧ୍ୟ ବୁମରାଙ୍କ ଆଘାତ ସ୍ଥାନର ଚିକିତ୍ସା ଚଳାଇଛି । ତାଙ୍କୁ ଫିଟ୍ ହେବା ପାଇଁ ଆଉ କେତେଦିନ ଲାଗିବ, ତାହା ସ୍ପଷ୍ଟ ହୋଇନାହିଁ ।
ଭାରତର ପ୍ଲେଇଂ ଇଲେଭେନ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମି, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡ଼େଜା, ବରୁଣ ଚକ୍ରବର୍ତ୍ତୀ ।