
ଭୁବନେଶ୍ୱର: ଚାଲିଛି ବସନ୍ତ ଋତୁ କିନ୍ତୁ ଶୀତ ବଦଳରେ ଚାଲିଛି ଖରାର ତାଣ୍ଡବ । ରାଜ୍ୟରେ ଧିରେ ଧିରେ ଶୀତର ପ୍ରଭାବ ଉଭେଇବା ପରେ ଏବେ ବସନ୍ତର ମଳୟ ପବନ ବଦଳରେ ଲୋକେ ଝାଞ୍ଜି ସହୁଛନ୍ତି । ଟାଣ ଓ ମୁଣ୍ଡଫଟା ଖରାରେ ସିଝୁଛନ୍ତି ରାଜ୍ୟବାସୀ ।
ଦିନରେ ଟାଣ ଖରା ହେଉଥିବା ବେଳେ ରାତିରେ ଟିକେ ଟିକେ ଥଣ୍ଡା ଅନୁଭୂତ ହେଉଛି । ତା ସାଙ୍ଗକୁ ପୁଣି ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହେଉଛି । ହେଲେ ସବୁଠୁ ଚିନ୍ତାର କଥା ହେଉଛି, ଡରାଇଲାଣି ଫେବୃଆରୀ ତାତି । ଖରା ଦିନ ଆରମ୍ଭ ନହେଉଣୁ, ଜଳାଇଲାଣି ତାତି । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଓଡିଶାର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଛୁଇଁଛି । ଭଦ୍ରକରେ ୩୬.୨, ବଲାଙ୍ଗୀରରେ ୩୬, ଅନୁଗୁଳରେ ୩୫.୭, ଭବାନୀପାଟଣା, ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ୩୫.୫, ଭୁବନେଶ୍ବରରେ ୩୪.୮ ଓ ଖୋର୍ଦ୍ଧାରେ ୩୪ ଡିଗ୍ରି ଲେଖାଏଁ ରହିଥିବା ବେଳେ ଝାରସୁଗୁଡ଼ା ୩୭ ଡିଗ୍ରୀ ରେକର୍ଡ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ।