ଆସିଲା ପୂର୍ଣ୍ଣାଙ୍ଗ ବଜେଟ୍ ; କେଉଁ ବିଭାଗ ପାଇଲେ କେତେ ?

ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପିତ ହେଲା ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍। ଗୃହରେ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ। ଏଥର ବଜେଟ୍ ସମସ୍ତଙ୍କୁ ସୁହାଇଲା ଭଳି ହୋଇଛି। ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଏଥର କୃଷି ପାଇଁ ବଜେଟ୍ରେ ୩୭,୮୦୦ କୋଟି ବ୍ୟୟ ଅଟକଳ ହୋଇଛି। ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ ।
ସମୃଦ୍ଧ କୃଷକ ଯୋଜନାରେ ୬୦୦୦ହଜାର କୋଟି, ସିଏମ୍ କିଷାନ ପାଇଁ ୨୦୨୦ କୋଟି, ଶ୍ରୀଅନ୍ନ ଯୋଜନା ପାଇଁ ୬୦୦ କୋଟି, ଶସ୍ୟ ବିବିଧତା କାର୍ଯ୍ୟକ୍ରମ ପାଇଁ ୬୯୫ କୋଟି, PMMSY ପାଇଁ ୨୪୫ କୋଟି, MMKY ପାଇଁ ୨୩୫ କୋଟି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୪୬କୋଟି ଓ ପ୍ରାଣୀ ସଂପଦ ଯୋଜନା ପାଇଁ ୧୭୧ କୋଟି ବ୍ୟୟ ଅଟକଳ ହୋଇଛି।
ଗୋପବନ୍ଧୁ ଜନ ଆରୋଗ୍ୟ ପାଇଁ ୬ ହଜାର ୨୪୯ କୋଟି ଟଙ୍କା , ସମଗ୍ର ଶିକ୍ଷା ପାଇଁ ୪ ହଜାର ୬୮୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିଭଳି ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା , ମଧୁବାବୁ ପେନସନ ଯୋଜନା ପାଇଁ ୫ ହଜାର ୩୭୦ କୋଟି ଟଙ୍କା , କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି ଟଙ୍କା , ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ୮୨୦ କୋଟି ଟଙ୍କା , ରେଳ ପ୍ରକଳ୍ପ ଉନ୍ନତିକରଣ ପାଇଁ ୩୦୦ କୋଟି ଟଙ୍କା , ବେସାମରିକ ବିମାନ ଚଳାଚଳ ପାଇଁ ୩୮୨ କୋଟି ଟଙ୍କା , ମୋ ବସ ସେବା ପାଇଁ ୧ ହଜାର ୮୫ ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ରାଜ୍ୟରେ ସମୃଦ୍ଧି, ଅଭିବୃଦ୍ଧି, ରୋଜଗାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ଠାରୁ ସୁଧମୁକ୍ତ ୫୦ ହଜାର କୋଟି ଋଣ ମିଳିଛି। ଭୁବନେଶ୍ବରରେ ଯାନବାହାନ ଭିଡ଼ ରୋକିବାକୁ ୧୩ ହଜାର କୋଟି ରାଜ୍ୟ ସରକାର ବ୍ୟୟ ଅଟକଳ ରଖିଛନ୍ତି। ରାଜ୍ୟ ରାଜପଥକୁ ୪ ଲେନ କରିବାକୁ ନିଷ୍ପତ୍ତି ହୋଇଛି। ନୂଆ କରି ୩ ହଜାର କିମି ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ। NHAI ପରି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ ହେବ। ଗ୍ରାମୀଣ ପରିବହନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନାରେ ୧ ହଜାର ୮୫ କୋଟି ରାଜ୍ୟ ସରକାର ବୟ ବରାଦ କରିଛନ୍ତି। ଅନ୍ୟପକ୍ଷେ ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ବ୍ୟୟ ଅଟକଳ କରାଯାଇଛି। ହୀରାକୁଦ ଡ୍ୟାମ୍ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ବରାଦ ହୋଇଛି। ସେହିପରି ଅନ୍ୟାନ୍ୟ ଡ୍ୟାମ ଉନ୍ନତି ପାଇଁ ୫୭ କୋଟି ଖର୍ଚ୍ଚ ହେବ। ଜଳ ସମସ୍ୟା .ନେଇ ନଳକୂପଗୁଡ଼ିକ ପାଇଁ ବଜେଟ୍ରେ ୧୧୫୦ କୋଟି ବ୍ୟୟ ଅଟକଳ ହୋଇଛି।