ମୁଖ୍ୟ ନିର୍ବାଚନ କମିଶନର ହେଲେ ଜ୍ଞାନେଶ କୁମାର

ନୂଆଦିଲ୍ଲୀ : ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର । ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଇସି ପଦ ଲାଗି ପ୍ରାୟ ୪୮୦ଜଣଙ୍କ ନାଁ ଆସିଥିବା ବେଳେ ଜ୍ଞାନେଶ କୁମାରଙ୍କ ନାଁ ଚୟନ କରାଯାଇଛି । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଗଠିତ ଏକ ପ୍ୟାନେଲ ଜ୍ଞାନେଶ କୁମାରଙ୍କୁ ନିଯୁକ୍ତ କରିଛନ୍ତି ।
ରାଜୀବ କୁମାର ଅବସର ନେବା ପରେ ଜ୍ଞାନେଶ କୁମାର ବରିଷ୍ଠତା ଦୃଷ୍ଟିରୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୯ ଜାନୁଆରୀ ୨୬ ପର୍ଯ୍ୟନ୍ତ ରହିଛି। ନୂତନ ସିଇସି ଆସନ୍ତା ବର୍ଷ ବିହାର ବିଧାନସଭା ନିର୍ବାଚନ ବେଙ୍ଗଲ ଏବଂ ତାମିଲନାଡୁ ସମେତ ଅନ୍ୟାନ୍ୟ ନିର୍ବାଚନ ପରିଚାଳନା ତଦାରଖ କରିବେ।
ଅନ୍ୟପଟେ ଆଜି ଦାୟିତ୍ଵରୁ ଅବସର ନେବେ ରାଜୀବ କୁମାର। ଗତ ମେ ୨୦୨୨ରେ ରାଜୀବ କୁମାରଙ୍କୁ ସିଇସି ପଦରେ ଅଭିଷିକ୍ତ କରାଯାଇଥିଲା । ରାଜୀବଙ୍କ ଅମଳରେ ହାଇପ୍ରୋଫାଇଲ ୨୦୨୪ ଲୋକସଭା ନିର୍ବାଚନ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ଯପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ହରିୟାଣା, ଝାଡଖଣ୍ଡ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଆଦି ରାଜ୍ଯରେ ନିର୍ବାଚନ ହୋଇଥିଲା ।