ଅନ୍ତର୍ଜାତୀୟଜାତୀୟ

ଚାରି ଥାକିଆ ସୁରକ୍ଷା ବଳୟରେ ରୁହନ୍ତି ପୁଟିନ୍ : ଖାଇବା ପୂର୍ବରୁ ବିଶେଷଜ୍ଞମାନେ ପ୍ରଥମେ ଚାଖିଥାନ୍ତି ଖାଦ୍ୟ

ମସ୍କୋ() ୟୁକ୍ରେନ୍‌ରେ ଧ୍ୱଂସଲୀଳା ରଚାଉଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ନିଜ ଉପରେ ସାମାନ୍ୟତମ ଆଞ୍ଚ ଆଣିବାକୁ ଦେଇ ନ ଥାନ୍ତି । ସବୁବେଳେ କଡ଼ା ସୁରକ୍ଷା ବଳୟରେ ରହିଥାନ୍ତି । ତାଙ୍କ ପାଇଁ ସବୁବେଳେ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ରହିଥାଏ । ଶତ୍ରୁ କବଳରୁ ବଞ୍ଚାଇବା ଲାଗି ଶକ୍ତିଶାଳୀ ଅଙ୍ଗରକ୍ଷୀଠାରୁ ଖାଦ୍ୟ ଚାଖିବା ପାଇଁ ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସବୁକିଛି ଖଞ୍ଜା ହୋଇଥାଏ । ୟୁକ୍ରେନ୍‌ ହମ୍‌ଲା ପରେ ବିଶ୍ୱବ୍ୟାପୀ ତାଙ୍କୁ ନିନ୍ଦା କରାଯାଉଛି । ଏମିତି କି ତାଙ୍କୁ ମାରିବା ପାଇଁ କିଛି ଲୋକ ସୁପାରି ବି ଦେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ ରାଷ୍ଟ୍ରପତି ପୁଟିନ ରାସ୍ତାରେ ଯାଉଥିବା ବେଳେ ଅସ୍ତ୍ରଶସ୍ତ୍ର ସୁସଜ୍ଜିତ କନଭୟ ତାଙ୍କ ସହ ଯାଇଥାଏ । ଏହି ସମୟରେ ଏକେ-୪୭, ଟ୍ୟାଙ୍କ-ରୋଧୀ ଗ୍ରେନେଡ୍‌ ଲଞ୍ଚର୍‌ ଏବଂ ପୋର୍ଟେବଲ୍‌ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ଉପଲବ୍ଧ ଥାଏ । ଭିଡ଼ ବେଳେ ସୁରକ୍ଷା ବଳୟକୁ ଅଧିକ କଡ଼ାକଡ଼ି କରାଯାଇଥାଏ । ଶକ୍ତିଶାଳୀ ଅଙ୍ଗରକ୍ଷୀ ତାଙ୍କୁ ଘେରି ରହିଥାନ୍ତି । ଆଉ ଏକ ଟିମ୍‌ ଲୋକ ଗହଳି ମଧ୍ୟରେ ଲୁଚିରହିଥାନ୍ତି । ଆଉ କିଛି ସୁରକ୍ଷା କର୍ମୀ ଜନଗହଳି ଚାରିପଟେ ଘେରିଥାନ୍ତି । ସେହିଭଳି ଯେଉଁ ସ୍ଥାନକୁ ପୁଟିନ ଯାଆନ୍ତି, ସେଠାକାର ଘରର ଛାତ ଉପରେ ସ୍ନାଇପର୍ସ ସଜାଗ ରହିଥାନ୍ତି । ପୁଟିନଙ୍କ ଅଙ୍ଗରକ୍ଷୀଙ୍କୁ ୩୫ ବର୍ଷ ପୂରଣ ହେବା କ୍ଷଣି ଅବସର ପ୍ରଦାନ କରାଯାଇଥାଏ । ଏହାପରେ ନୂଆ ଅଙ୍ଗରକ୍ଷୀଙ୍କୁ ନିଯୁକ୍ତ କରାଯାଏ । ଅବସର ନେବା ପରେ ସେମାନଙ୍କୁ ଗଭର୍ଣ୍ଣର, ମନ୍ତ୍ରୀ, ବିଶେଷ ସେବା କମାଣ୍ଡର ଏବଂ ରାଷ୍ଟ୍ରପତି ପ୍ରଶାସକ ଭାବେ ନୂଆ ନିଯୁକ୍ତି ଦିଆଯାଏ ।

ପୁଟିନ କୌଣସି ଖାଦ୍ୟ ଖାଇବା ପୂର୍ବରୁ ତାଙ୍କ ପାଖରେ ଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଥମେ ତାହାକୁ ଚାଖି ପରଖିଥାନ୍ତି । ଠିକ୍‌ଠାକ୍‌ ଥିଲେ ପୁଟିନ ଭୋଜନ କରନ୍ତି । ପୁଟିନଙ୍କ ଅଙ୍ଗରକ୍ଷୀ ଭାବେ ନିଯୁକ୍ତ ହେବା ଲାଗି ଅନେକ ପ୍ରକାର ପରୀକ୍ଷାର ସାମ୍ନା କରିବାକୁ ହୋଇଥାଏ । ଏଥିରେ ବ୍ୟକ୍ତିଙ୍କ ମନସ୍ତାତ୍ତ୍ୱିକ ସ୍ଥିତି, ଶାରୀରିକ ସହନଶକ୍ତି, ଶୀତର ସାମ୍ନା କରିବା ଏବଂ ଗରମ ଦିନରେ ଝାଳ ନ ବାହାରିବା ଆଦି କ୍ଷମତାକୁ ତଉଲା ଯାଇଥାଏ । ଏହି ଅଙ୍ଗରକ୍ଷୀ ସବୁବେଳେ ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ପିନ୍ଧିଥାନ୍ତି । ତାଙ୍କ ପାଖରେ ବୁଲେଟ୍‌ପ୍ରୁଫ୍‌ ବ୍ରିଫ୍‌କେସ୍‌ ଓ ରୁଷୀୟ ୯ମିମି ଏସ୍‌ଆର୍‌-୧ ଭେକ୍ଟର ପିସ୍ତଲ ରହିଥାଏ । ବିଦେଶ ଯାତ୍ରା ପୂର୍ବରୁ ପୁଟିନଙ୍କ ଟିମ୍‌ଗୁଡ଼ିକ ମାସ ମାସ ପୂର୍ବରୁ ସମ୍ପୃକ୍ତ ସ୍ଥାନକୁ ଯାଇ ନଜର ରଖିଥାନ୍ତି। ସେଠାରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି, ଜନତାଙ୍କ ପ୍ରତିକ୍ରିୟା ଆଦି ସମୀକ୍ଷା କରିଥାନ୍ତି । ସବୁ କିଛି ଠିକ୍‌ଠାକ୍‌ ରହିଲେ ଯାତ୍ରା ପାଇଁ ସବୁଜ ସଂକେତ ଦିଆଯାଏ । ରାଷ୍ଟ୍ରପତି ଯେଉଁଠାରେ ରହନ୍ତି, ସେଠାରେ ଜାମିଙ୍ଗ୍‌ ମେସିନ୍‌ ଲଗାଯାଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com