କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ବଦନାମ ହେଲା ଓଡିଶା

ଭୁବନେଶ୍ୱର : କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା ନେଇ ସୃଷ୍ଟି ହୋଇଥିବା ଘଟଣା ଏବେ ବିବାଦୀୟ ପାଲଟି ଯାଇଛି ଅନ୍ତର୍ଜାତୀୟ ପ୍ରସଙ୍ଗ। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏବେ ବଦନାମ ହୋଇଛି ଓଡ଼ିଶା। ପ୍ରଥମେ ଛାତ୍ରୀ ମୃତ୍ୟୁ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଗଲା। ପରେ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରୁଥିବା ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଗଲା ଏବଂ ସେମାନଙ୍କୁ ଧମକ ଚମକ ଦେଇ କ୍ୟାମ୍ପସରୁ ବିଦା କରିଦିଆଗଲା।
ବର୍ତ୍ତମାନ ପୂରା ମାମଲାରେ ବିବାଦ ଘେରକୁ ଆସିଛି କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକା। ମାନବାଧିକାର ଉଲ୍ଲଂଘନ ଭଳି ସାଂଘାତିକ ଅଭିଯୋଗ ହୋଇଛି। ଏହାରି ଭିତରେ ଭାଇରାଲ୍ ହେବାରେ ଲାଗିଛି ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ ମାଡ଼ ମାରୁଥିବାର ଭିଡିଓ। ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ସିକ୍ୟୁରିଟି ଗାର୍ଡଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଆକ୍ସନ ନିଆଯାଇନାହିଁ। ପୁଣି ସାମ୍ନାକୁ ଆସିଛି ବିଶ୍ୱବିଦ୍ୟାଳୟ ଗାର୍ଲସ୍ ହଷ୍ଟେଲ ଦାୟିତ୍ବରେ ଥିବା ଯୁଗ୍ମ ନିର୍ଦ୍ଦେଶିକା ଜୟନ୍ତୀ ନାଥ ଛାତ୍ରମାନଙ୍କୁ ଧମକ ଦେଉଥିବାର ଭିଡିଓ। ସେପଟେ ଏହି ଘଟଣାରେ ଆସିଛି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା । ସେ କହିଛନ୍ତି କିଟ୍ ବିଶ୍ୱବିଦ୍ୟାଳୟ ଘଟଣା ଦୁଃଖଦାୟକ । ଗୃହ ବିଭାଗ ତ୍ବରିତ ପଦକ୍ଷେପ ନେବା ସହ ପୋଲିସ ଜଣକୁ ଗିରଫ କରିଛି । ମୃତକଙ୍କ ମୋବାଇଲ ଫୋନ୍ ଓ ଲାପଟପ୍ ସିଜ୍ ହୋଇଛି । ନେପାଳ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ତା’ପରେ ସେମାନଙ୍କୁ କ୍ୟାମ୍ପସରୁ ବିଦା କରି ଦିଆଯାଇଥିବା ଅଭିଯୋଗ ହୋଇଛି ।ଏହାଛଡା ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ସାଇନ୍ – ଏ – ଡାଏ କରିବା ଦୁର୍ଭାଗ୍ୟଜନକ। ସାଇନ୍ – ଏ – ଡାଏ ଉଠାଯାଇଛି । ମାମଲା ନେଇ ବିଶ୍ୱବିଦ୍ୟାଳୟ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛି । ଶିକ୍ଷାନୁଷ୍ଠାନରୁ ଯେପରି ଆଗକୁ ସେମାନଙ୍କୁ ଧମକ ନ ମିଳୁ, ସରକାର ଏ ନେଇ ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ।