Breaking NewsFeaturedଜାତୀୟରାଜନୀତି

ନିଆରା ନେତା ସିଦ୍ଦରମୈୟା… ଜାଣନ୍ତୁ ତାଙ୍କ ରାଜନୀତିକ ଜୀବନ କାହାଣୀ

ଧୋକା ଖାଇବା ପରେ ଭାବିଥିଲେ ଛାଡ଼ିଦେବେ ରାଜନୀତି, କିନ୍ତୁ...

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିର ଲେଲିହାନ ଅଗ୍ନିଶିଖା । ବହୁ ଉତ୍ଥାନ ପତନ ଦେଇ ଗତି କରିଛି ତାଙ୍କ ରାଜନୈତିକ ଜୀବନ । ତଥାପି ସେ ହାର ମାନ ନାହାନ୍ତି । ବରଂ ସମୟକ୍ରମେ ସେ ଗଢିଛନ୍ତି ନିଜସ୍ୱ ରାଜନୈତିକ ସାମ୍ରାଜ୍ୟ । ଏକ ସାଧାରଣ ପରିବାରରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ସିଦ୍ଦରମୈୟାଙ୍କ ପାଇଁ ଏତେ ସହଜ ନଥିଲା । କିନ୍ତୁ ତାଙ୍କ ବଳିଷ୍ଠ ନେତୃତ୍ୱ ଓ ରାଜନୈତିକ ପ୍ରତିବଦ୍ଧତା ହିଁ ଆଣି ଦେଇଥିଲା ତାଙ୍କ ପାଇଁ ଏ ବିରଳ ସଫଳତା । ସେ ପାଲଟି ଯାଇଥିଲେ ସାଧାରଣ ଲୋକଙ୍କ ନେତା ଓ ପଛୁଆ ଜାତିର ଭାଗ୍ୟବିଧାତା । ତେବେ ଆସନ୍ତୁ ଜାଣିବା କେମିତି ଥିଲା ସିଦ୍ଧରମୈୟାଙ୍କ ରାଜନୈତିକ ଯାତ୍ରା।

୧୨ ଅଗଷ୍ଟ ୧୯୪୮ । ମହୀଶୁରର ସିଦ୍ଦରମନହୁଣ୍ଡେରେ ଜନ୍ମଗ୍ରହଣ କରିଥିଲେ ସିଦ୍ଦରମୈୟା । ଏକ ଗରିବ ଚାଷୀ ପରିବାରରେ ଜନ୍ମ ହୋଇଥିବା ସିଦ୍ଦୁ ୧୦ବର୍ଷ ବୟସରେ ପାଠପଢା ଆରମ୍ଭ କରିଥିଲେ । ବିଜ୍ଞାନରେ ସ୍ନାତକ ଓ ପରେ ଲ ସାରି ଓଳିଲାତିରୁ ନିଜ କର୍ମମୟ ଜୀବନର ଅୟଂଆରମ୍ଭ କରିଥିଲେ ସେ । ଏଇ ସମୟରେ ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଳିଲାତି ଛାଡି ଚାଲି ଆସିଥିଲେ ରାଜନୀତିକୁ । ୧୯୮୩ ନିର୍ବାଚନରେ ଚାମୁଣ୍ଡେଶ୍ୱରୀ ଆସନରୁ ଲୋକଦଳ ପାର୍ଟି ଟିକେଟରୁ ଲଢି ପ୍ରଥମଥର ପାଇଁ ବିଧାନସଭାକୁ ଯାଇଥିଲେ ସିଦ୍ଦରମୌୟା । ପରେ ସରକାରରେ ଥିବା ଜନତା ଦଳକୁ ଚାଲି ଯାଇ ପ୍ରଥମ ଥର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ମିଳିଥିଲା ରେଶମ ଉତ୍ପାଦନ ବିଭାଗ । ୨୦୦୪ରେ ସିଦ୍ଦରମୈୟାଙ୍କ ରାଜନୈତିକ ଜୀବନରେ ଆସିଥିଲା ଏକ ବଡ ବତାସ । ଜନତା ଦଳ ଓ କଂଗ୍ରେସ ମେଣ୍ଟରେ ଗଢା ହେଲା କର୍ଣ୍ଣାଟକ ସରକାର । ସିଦ୍ଦରମୈୟା ଥିଲେ ମୁଖ୍ୟମନ୍ତ୍ରୀ ଦାବିଦାର କିନ୍ତୁ ଦେବେଗୌଡାଙ୍କ ଚକ୍ରାନ୍ତ ପାଇଁ ମିଳିଥିଲା ଉପ ମୁଖ୍ୟମନ୍ତ୍ରୀ ପଦବୀ ।

ଏହାର କିଛି ଦିନ ପରେ ଦେବଗୌଡା ନିଜ ପୁଅଙ୍କୁ ଦଳର ମୁଖ୍ୟ କରିଦେଇ ସିଦ୍ଦରମୈୟାଙ୍କୁ କୋଣଠେସା କରିବାକୁ ପ୍ରୟାସ କରିଥିଲେ । ଦଳର ମେରୁଦଣ୍ଡକୁ ଅଣଦେଖା କର ପୁତ୍ର ମୋହରେ ଭାସି ଯାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି ଦେବେଗୌଡା । ସିଦ୍ଦରମୈୟା କିନ୍ତୁ ତାଙ୍କୁ ଖୋଲାଖୋଲି ବିରୋଧ କରି ଜନତା ଦଳରୁ ତଡା ଖାଇଥିଲେ । ଏହାପରେ ସେ ରାଜନୀତିରୁ ସନ୍ୟାସ ନେବା ପାଇଁ ମନସ୍ଥ କରି ପୁଣି ଥରେ ଓଳିଲାତି କରିବା ଆରମ୍ଭ କରିଥିଲେ । କାରଣ ଯେଉଁ ଦେବେଗୌଡାଙ୍କ ପାଇଁ ସେ ଏତେ ଲଢେଇ କରିଥିଲେ ସେ ହିଁ ତାଙ୍କୁ ଦୁଇ ଦୁଇ ଥର ଧୋକା ଦେଲେ । କିନ୍ତୁ ଯା’ ଭାଗ୍ୟରେ ରାଜେଯାଗ ଲେଖା ସେ ବା କେମିତି ରାଜନୀତିରୁ ଦୁରେଇ ରହିପାରିବ । ଏଇ ସମୟରେ ଉଭୟ କଂଗ୍ରେସ ଓ ବିଜେପି କ୍ୟାମ୍ପରୁ ଅଫର ଆସିଲା ତାଙ୍କ ପାଖକୁ । କିଛି ଦିନର ବିରତି ପରେ କଂଗ୍ରେସରେ ଯୋଗ ଦେଇଥିଲେ ସିଦ୍ଦରମୈୟା । ଦିନେ ଯେଉଁ କଂଗ୍ରେସର ଘୋର ବିରୋଧି ଥିଲେ ସମୟକ୍ରମେ ସେଇ କଂଗ୍ରେସର ହିଁ ହାତ ଧରିଲେ ।

ସିଦ୍ଦରମୈୟା ହେଉଛନ୍ତି କୁରୁବା ଜାତିର । ଆଉ କୁରୁବା ହେଉଛି ରାଜ୍ୟର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଜାତି। ତେଣୁ କର୍ଣ୍ଣାଟକ ରାଜନୀତିରେ କୁରୁବା ଜାତିର ବେଶ ପ୍ରଭାବ ରହିଛି । ସିଦ୍ଦରମୈୟା ନିଜକୁ ପଛୁଆ ଜାତିର ନେତା ଭାବେ ଚିତ୍ରଣ କରିବା ସହ ଏଥିରେ ସଫଳ ମଧ୍ୟ ହେଲେ । ହାତ ଧରିବାର ତିନିବର୍ଷ ପରେ ତାଙ୍କୁ ପ୍ରଚାର ସମିତିର ଅଧକ୍ଷ କରାଗଲା । ଏହା ପରେ ୨୦୧୩ ନିର୍ବାଚନରେ ବହୁମତରେ ବିଜୟ ହେଲା କଂଗ୍ରେସ । ଆଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା । ପୁରଣ ହେଲା ବହୁ ଦିନର ଅଭିଳାଶା । ଏହା ପରବର୍ତୀ ୨୦୧୮ ନିର୍ବାଚନରେ ବିଜେପି ସରକାର ଗଢିଲା ହେଲେ ପୁଣି ସଦ୍ୟସମାପ୍ତ ୨୦୨୩ ନିର୍ବାଚନରେ କମବ୍ୟାକ କଲା କଂଗ୍ରେସ । ଆଉ ପୁଣି ଥରେ ସିଦ୍ଧରମୈୟାଙ୍କ ମୁଣ୍ଡରେ ଭିଡାହେଲା ଶିରପା । ଆସନ୍ତା ୨୦ରେଦ୍ୱୀତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କର୍ଣ୍ଣାଟକ କଂଗ୍ରେସର ବାହୁବଳୀ ନେତା ସିଦ୍ଧରମୈୟା

Related Articles

Back to top button
WP Twitter Auto Publish Powered By : XYZScripts.com