ଖଣ୍ଡଖଣ୍ଡ ହୋଇଗଲା ନନ୍ଦନକାନନ ଏକ୍ସପ୍ରେସ୍

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ନନ୍ଦନକାନନ ଏକ୍ସପ୍ରେସ୍ । ଦିଲ୍ଲୀ ଆନନ୍ଦବିହାର ଟର୍ମିନାଲରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ୍ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନରେ ୨ ଭାଗ ହୋଇ ଯାଇଛି । ତେବେ ଟ୍ରେନ୍ଟିର ବେଗ କମ୍ ଥିବାରୁ ଟଳି ଯାଇଛି ବଡ଼ ଦୁର୍ଘଟଣା । ଗତ ସୋମବାର ରାତିରେ ଏହି ଅଘଟଣ ଘଟିଛି । ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୨୫ ପରିବର୍ତ୍ତେ ୩ ଘଣ୍ଟା ବିଳମ୍ବରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନରେ ପହଞ୍ଚିଥିଲା ନନ୍ଦନକାନନ ଏକ୍ସପ୍ରେସ୍ । ରାତି ସାଢ଼େ ୯ରେ ଟ୍ରେନ୍ ୧ ନମ୍ବର ପ୍ଲାଟଫର୍ମ ଛାଡ଼ିଛିଲା । ଟ୍ରେନ୍ ଷ୍ଟେସନରୁ ପ୍ରାୟ ୬ କିଲୋମିଟର ଯିବା ପରେ ଜଙ୍କସନର ହଟ୍ ନିକଟରେ ସ୍ଲିପର କୋଚ୍-୪ର କପଲିଂ ଭାଙ୍ଗି ଯାଇଥିଲା ।
ଫଳରେ ନନ୍ଦନକାନନ ଏକ୍ସପ୍ରେସର ଇଞ୍ଜିନ୍ ସହିତ ୬ଟି କୋଚ୍ ୨୦୦ ମିଟର ଆଗକୁ ବଢ଼ିଥିବା ବେଳେ ଏସି କୋଚ୍, ଗାର୍ଡ ବଗି ସହ ପଛରେ ରହି ଯାଇଥିଲା ୧୫ଟି କୋଚ୍ । ଟ୍ରେନ୍ ୨ ଭାଗ ହୋଇଯିବା ପରେ ଆତଙ୍କିତ ହୋଇ ପଡ଼ିଥିଲେ ଯାତ୍ରୀ । ଏହା ପରେ ଟ୍ରେନ୍ ମ୍ୟାନେଜରଙ୍କ ସୂଚନା ପରେ ଟ୍ରେନ୍କୁ ଅଟକାଇଥିଲେ ଲୋକ ପାଇଲଟ୍ । ଏହା ପରେ ନନ୍ଦନକାନନ ଏକ୍ସପ୍ରେସ୍ ପୁଣି ଥରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନକୁ ଫେରିଥିଲା । ସେଠାରେ ଭାଙ୍ଗି ଯାଇଥିବା କପଲିଂକୁ କୋଚରୁ କାଟି ଅଲଗା କରାଯାଇଥିଲା । ଏହା ପରେ ଆଉ ୩ ଘଣ୍ଟା ବିଳମ୍ବରେ ରାତି ସାଢ଼େ ୧୧ଟାରେ ପୁରୀ ଅଭିମୁଖେ ବାହାରିଥିଲା ନନ୍ଦନକାନନ ଏକ୍ସପ୍ରେସ୍ ।