Breaking NewsFeaturedଓଡ଼ିଶା

ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ଆସିଲା BMC ର ଗାଇଡଲାଇନ

ଭୁବନେଶ୍ୱର; ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ସିଟି ଇଂଜିନିୟର ଶ୍ରୀ ବିଳାସ କୁମାର ବେହେରା, ମୁଖ୍ୟ ବିତ୍ତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସିର ସମସ୍ତ ଅଧିକାରୀ, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ ।

ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯିବ । କେଉଁ କେଉଁସ୍ଥାନରେ ଏହି ପାନୀୟ ଜଳ ସେବା କେନ୍ଦ୍ରମାନ ଖୋଲାଯିବ ତାହା ଜୋନାଲ କମିଶନରମାନେ ଚିହ୍ନଟ କରିବେ । ଏହା ସହ ବୁଲା ଗାଈଗୋରୁ, କୁକୁର ତଥା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ପାଣି ବ୍ୟବସ୍ଥା କରାଯିବ । ତେବେ ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟକାରୀ କରାଯିବ । ଗତ ବର୍ଷ ନର୍ଥ ଜୋନରେ ୬୭ଟି, ସାଉଥ-ଇଷ୍ଟ ଜୋନରେ ୬୯ଟି ଏବଂ ସାଉଥ-ଓ୍ୱେଷ୍ଟ ଜୋନରେ ୭୭ଟି ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା । ସେହିପରି ପ୍ରାଣୀମାନଙ୍କ ପାଇଁ ନର୍ଥ ଜୋନରେ ୫୧ ଟି, ସାଉଥ-ଇଷ୍ଟ ଜୋନରେ ୧୩୪ ଟି ଏବଂ ସାଉଥ-ଓ୍ୱେଷ୍ଟ ଜୋନରେ ୭୩ ଟି ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା । ସେହିପରି ଚଳିତ ବର୍ଷ ଜନ ଗହଳିପୂର୍ଣ୍ଣ ସ୍ଥାନ, ବସ୍ ଷ୍ଟାଣ୍ଡ, ବିଭିନ୍ନ ଛକ, ବଜାର, ହାଟ ଆଦିରେ ପାନୀୟ ଜଳ ସେବା କେନ୍ଦ୍ରମାନ ଖୋଲାଯିବ ।

ସମସ୍ତ ଡାକ୍ତରଖାନାରେ ସନଷ୍ଟ୍ରୋକରେ ଆକ୍ରାନ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ରୁମ୍ ଓ ବେଡ୍, ଆବଶ୍ୟକ ମେଡିସିନ, ଓଆରଏସ୍ ଆଦି ମହଜୁଦ୍ ରଖିବା ପାଇଁ ସହରାଞ୍ଚଳ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପ୍ରମୁଖ କାର୍ଯ୍ୟ ହେଉଛି ଜନ ସଚେତନତା ସୃଷ୍ଟି କରିବା । ସନ୍ ଷ୍ଟ୍ରୋକ୍ ଆକ୍ରାନ୍ତ ଓ ମୃତ୍ୟୁ ମୁଖରୁ ରକ୍ଷା ପାଇବା ପାଇଁ ଜନ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ପ୍ରଚାର ପ୍ରସାର, ପୋଷ୍ଟର, ବ୍ୟାନର ଆଦିର ସହାୟତା ନିଆଯିବାକୁ କୁହାଯାଇଛି । ସ୍ମାର୍ଟ ସିଟି ଡିସପ୍ଲେ ବୋର୍ଡରେ ମଧ୍ୟ ଏ ସଂପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରାଯିବ । ପ୍ରଚାର ପତ୍ର ବଣ୍ଟନ କରିବାକୁ କୁହାଯାଇଛି ।

ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ବିଏମ୍ ସି ମୁଖ୍ୟାଳୟସ୍ଥିତ ଦ୍ୱିତୀୟ ମହଲାରେ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ୧୯୨୯ ଫୋନ୍ ନମ୍ବର ଜାରି କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟର ଶିକ୍ଷାଦାନ ସମୟ ପରିବର୍ତ୍ତନ କରିବା ସହ ଛାତ୍ରଛାତ୍ରୀମାନେ ଯେପରି ଜୋତା ପିନ୍ଧି ସାଙ୍ଗରେ ପାଣି ବୋତଲ, ଛତା ଆଦି ଆଣିବେ, ସେଥିପାଇଁ ସଚେତନ କରାଇବାକୁ କୁହାଯାଇଛି । ସେହିପରି ପ୍ରତ୍ୟେକ ଅଙ୍ଗନଓ୍ୱାଡି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି । ସମସ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ୱାଡି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା, ଓଆରଏସ୍, ଏବଂ ଆବଶ୍ୟକ ମେଡିସିନ ମହଜୁଦ୍ ରହିଛି ବୋଲି ସିଡିପିଓ ଓ ବିଇଓମାନେ ସୁନିଶ୍ଚିତ କରିବେ। ପ୍ରତ୍ୟେକ ସ୍କୁଲ ଓ ଅଙ୍ଗନଓ୍ୱାଡି କେନ୍ଦ୍ରରେ ଓଆରଏସ୍ ପହଞ୍ଚିଛି କି ନାହିଁ, ତାହା ସହରାଞ୍ଚଳ ଜନ ସ୍ୱାସ୍ଥ୍ୟ ଅଧିକାରୀ ତଦାରଖ କରିବେ । ସର୍ବୋପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ନାମାକୁ ବିଦ୍ୟାଳୟ ପ୍ରଶାସନ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ।

ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କାମ ବନ୍ଦ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ବ୍ୟବସ୍ଥା କରିବେ । ସେହିପରି ବିଏମ୍ ସି ସିଟି ଇଂଜିନିୟର ଏବଂ ସମସ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏହି ସମୟ ମଧ୍ୟରେ କାର୍ଯ୍ୟ ବନ୍ଦ ରଖିବେ । କାମ ହେଉଥିବା ସ୍ଥାନରେ ପାନୀୟ ଜଳ ଓ ଛାଇ ପାଇଁ ଛାମୁଣ୍ଡିଆ କରିବେ । କାମ କରୁଥିବା ସମସ୍ତ ଏଜେନ୍ସି ଯଥା ଆର୍ ଆଣ୍ଡ ବି, ଆର୍.ଡି ମଧ୍ୟ ଶ୍ରମିକମାନଙ୍କୁ ପୂର୍ବାହ୍ନ ୧୧ ରୁ ଅପରାହ୍ନ ୩ ପର୍ଯ୍ୟନ୍ତ କାମ ନ କରିବା ପାଇଁ ବ୍ୟବସ୍ଥା କରିବେ । କାର୍ଯ୍ୟ ସ୍ଥଳରେ ଧୂଳି ନ ହେବାପାଇଁ ଜଳ ଛିଞ୍ଚିବାକୁ ସମ୍ପୃକ୍ତ କାର୍ଯ୍ୟାଳୟ/ କଣ୍ଟ୍ରାକ୍ଟର ଦାୟିତ୍ଵ ନେବେ l ଶ୍ରମ ବିଭାଗ ଓ ଇଏସ୍ଆଇ ପକ୍ଷରୁ ଜାରି ନୋଟିସକୁ ସବୁ ଲାଇନ ଡିପାର୍ଟମେଣ୍ଟ ଯଥା-ଡିଏଲ୍ଓ, ସିଟି ଇଂଜିନିୟର, ଏସଇ, ଟିପିସିଓଡିଏଲ୍, ଏସ୍ଇ, ଆର ଆଣ୍ଡ ବି, ଆର୍ ଡି ଆଦି ବିଭାଗ କଡାକଡି ପାଳନ କରିବା ପାଇଁ କୁହାଯାଇଛି । ଘର ନଥିବା ଲୋକମାନେ ଦିନ ବେଳା ସର୍ବସାଧାରଣ ଗୃହ, କମ୍ୟୁନିଟ୍ ହଲ୍, ଅର୍ବାନ ସେଲଟର ଆଦିରେ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯିବ । ଏଥିରେ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା ରହିବ ଏବଂ ପାନୀୟ ଜଳ ଓ ଓଆରଏସ୍ ବ୍ୟବସ୍ଥା କରିକରିବାକୁ ନିଷ୍ପତ୍ତି ହୋଇଛି । ବିଏମ୍ ସି ଅଂଚଳରେ ଥିବା ୭ ଟି ଆଶ୍ରୟସ୍ଥଳିରେ ପ୍ରାୟ ୩୫୬ ଜଣଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଗ୍ରୀଷ୍ମ ପ୍ରବାହ ସମୟରେ ଯେପରି ବିଦ୍ୟୁତ୍ କାଟ୍ ନ ହୁଏ, ସେଥିପ୍ରତି ଟିପିସିଓଡିଏଲ୍ ସୁପରିଟେଣ୍ଡିଂ ଇଂଜିନିୟର ବିହିତ ବ୍ୟବସ୍ଥା କରିବାକୁ କୁହାଯାଇଛି । ମୁଖ୍ୟତଃ ଡାକ୍ତରଖାନା, ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ ଆଦି ଅତ୍ୟାବଶ୍ୟକ ସେବା ଯେପରି ବାଧାପ୍ରାପ୍ତ ନ ହେବ, ସେଥିପାଇଁ ପଦକ୍ଷେପ ନେବେ । ଘର ତିଆରି ଏବଂ ଅନ୍ୟାନ୍ୟ ନିର୍ମାଣ ଇତ୍ୟାଦିରେ ଯେପରି ପାନୀୟ ଜଳର ଉପଯୋଗ ନ ହୁଏ ତାହାକୁ ନଜର ଦେଲେ ଗ୍ରୀଷ୍ମ କାଳରେ ଜଳ ପରିଚାଳନାରେ ସହାୟକ ହେବ ବୋଲି କହିଛନ୍ତି କମିଶନର ଲ ଏହାଛଡା ଯଦି କୌଣସିଠାରେ ସନ୍ ଷ୍ଟ୍ରୋକରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଲା କିମ୍ବା କୌଣସି ଗଣମାଧ୍ୟମରେ ପ୍ରଚାର ପ୍ରସାର ହେଲା, ତେବେ ସରକାରୀ ନିୟମ ଅନୁଯାୟୀ ତୁରନ୍ତ ପଦଷେପ ନିଆଯିବ l

Related Articles

Back to top button
WP Twitter Auto Publish Powered By : XYZScripts.com