ରାଜନୀତି
୩ ସହରରେ ହେବ ପୌର ନିର୍ବାଚନ

ଭୁବନେଶ୍ୱର: ରାଜ୍ୟର ୩ ପ୍ରମୁଖ ସହରରେ ବହୁ ବର୍ଷରୁ ବନ୍ଦ ରହିଛି ପୌର ନିର୍ବାଚନ । ସମ୍ବଲପୁର ଏବଂ ରାଉରକେଲାରେ ପୌର ନିର୍ବାଚନ ଗତ ୧୧ ବର୍ଷ ହେଲା ବନ୍ଦ ପଡିଥିବାବେଳେ, ପୁରୀରେ ଗତ ୬ ବର୍ଷ ହେଲା ବନ୍ଦ ରହିଛି ପୌର ନିର୍ବାଚନ । ହେଲେ ଏବେ ହାଇକୋର୍ଟଙ୍କ ଶୁଣାଣି ପରେ, ପୁଣିଥରେ ଏହି ୩ ସହରରେ ପୌର ନିର୍ବାଚନ ଆରମ୍ଭ ହେବା ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ପୁରୀ, ରାଉରକେଲା, ସମ୍ବଲପୁରରେ ପୌର ନିର୍ବାଚନ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି । ବିଜେଡି ସରକାର ବେଳେ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା ପୌର ନିର୍ବାଚନ । ହେଲେ ଏହି ୩ ସହରରେ ପୁଣିଥରେ ନିର୍ବାଚନ କରିବାକୁ ଆମ ସରକାର ଯୋଜନା କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ସରିଛି । ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି । ବିଚାରପତିଙ୍କ ରାୟ ଆସିବା ପରେ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।