
ମହାରାଷ୍ଟ୍ର: ବିବାଦ ଭିତରେ ଉବୁଟୁବୁ ହେଉଥିବା ଷ୍ଟାଣ୍ଡ ଅପ୍ କମେଡିଆନ୍ କୁନାଲ କାମରାଙ୍କୁ ମିଳିଛି ୫୦୦ ଥର ଧମକ । ଫୋନ ଯୋଗେ ଜଣେ ସିନେ୍ଦ ସମର୍ଥକ ତାଙ୍କୁ ଧମକ ଦେବା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ତେବେ ତାଙ୍କ କମେଡିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ, ମୋଦୀ ସରକାର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଗୀତ ଦ୍ୱାରା ଟ୍ରୋଲ କରିଛନ୍ତି କୁନାଲ । ତେବେ ୧୯୮୭ ମସିହାର ସୁପରହିଟ ଫିଲ୍ମର ‘ମିଷ୍ଟର ଇଣ୍ଡିଆ’ପ୍ରସିଦ୍ଧ ଗୀତ ‘ହଓ୍ବା ହଓ୍ବାଇ’ର ତାଳେ ତାଳେ ସେ ମୁଦ୍ରାସ୍ଫୀତି ଓ ଗୁଡ୍ସ ଆଣ୍ଡ୍ ସର୍ଭିସ୍ ଟାକ୍ସ (ଜିଏସ୍ଟି) କୁ ପ୍ରସଙ୍ଗ କରି ନିର୍ମଳାଙ୍କୁ ପରିହାସ କରିଛନ୍ତି। ଗୀତରେ କୁନାଲ ନିର୍ମଳାଙ୍କୁ ଟାର୍ଗେଟ କରି ‘ଶାଢ଼ିବାଲି ଦିଦି’ କହିଛନ୍ତି। ମୁମ୍ବାଇର ହାବିଟାଟ୍ ଷ୍ଟୁଡିଓରେ ପ୍ରାୟ ମାସେ ତଳେ କାମ୍ରାଙ୍କ ଏହି ଭିଡିଓ ରେକର୍ଡ ହୋଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।ଯାହାକୁ ନେଇ ଜୋର ଧରିଛି ମହାରାଷ୍ଟ୍ର ଓ ଜାତୀୟ ରାଜନୀତି ।