ବନମାଳୀ ସାହୁ ସ୍ମାରକୀ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା-୨୦୨୫: ପୁରସ୍କାର ରାଶି ୧ ଲକ୍ଷ ୫୦ ହଜାର

ଦେବଗଡ଼: ଆରମ୍ଭ ହୋଇଛି ଡାଃ ବନମାଳୀ ସାହୁ ସ୍ମାରକୀ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା- ୨୦୨୫ । ରାଜ୍ୟସ୍ତରୀୟ ଏହି ପ୍ରବନ୍ଧ ପ୍ରତିଯୋଗିତାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇପାରିବେ । ଏଥିରେ ବିଷୟ ବସ୍ତୁ ରହିଛି – ଓଡିଆ ଭାଷା ଆନେ୍ଦାଳନ- ଅତୀତ ଓ ବର୍ତ୍ତମାନ । ଏହି ବିଷୟରେ ଇଚ୍ଛୁକ ଛାତ୍ରଛାତ୍ରୀ ସର୍ବାଧିକ ୧୫ଶହ ଶବ୍ଦ ମଧ୍ୟରେ ପ୍ରବନ୍ଧଟିକୁ ସୀମିତ ରଖିବେ । ଲିଖିତ ପ୍ରବନ୍ଧଟି ସମ୍ପୂର୍ଣ୍ଣ ନିଜସ୍ୱ ହେବା ସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୁମୋଦିତ ହେବା ବାଧ୍ୟତା ମୂଳକ । ପ୍ରବନ୍ଧର ପ୍ରଥମ ପୃଷ୍ଠାରେ ହିଁ ପ୍ରତିଯୋଗୀଙ୍କ ନାମ, ବିଦ୍ୟାଳୟ ଠିକଣା, ଇ-ମେଲ, ଫୋନ ନମ୍ବର ସହିତ ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀଙ୍କ ନାମ, ଇ-ମେଲ କିମ୍ବା ଫୋନ୍ ନମ୍ବର ଲେଖିବା ଜରୁରୀ ବୋଲି ସ୍ପଷ୍ଟ କରାଯାଇଛି । ଲିଖିତ ପ୍ରବନ୍ଧକୁ ଟାଇପ କରି ପିଡିଏଫ୍ ରୂପେ [email protected] ରେ ୧୫ ସେପ୍ଟେମ୍ବର ୨୦୨୫ ସୁଦ୍ଧା ପଠାଇବାକୁ କୁହାଯାଇଛି ।
ଏହି ପ୍ରତିଯୋଗିତାର ଫଳାଫଳ ୧୫ ଡିସେମ୍ବର ୨୦୨୫ରେ ଘୋଷଣା କରାଯିବ । ଏଥିରେ ପ୍ରଥମ ୩ଟି ସ୍ଥାନ ବିଜେତା ପ୍ରତିଯୋଗୀଙ୍କୁ ସୁରସ୍କୃତ କରାଯିବ । ପ୍ରଥମ ସ୍ଥାନ ପାଇଁ ୫୦ ହଜାର, ଦ୍ୱିତୀୟ ସ୍ଥାନ ପାଇଁ ୪୦ ହଜାର ଏବଂ ତୃତୀୟ ସ୍ଥାନ ପାଇଁ ୩୦ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ । ଏଥିସହିତ ପ୍ରତ୍ୟେକ ବିଜେତା ସ୍କୁଲର ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ସ୍ୱରୂପ ଦିଆଯିବ ୧୦ ହଜାର ଟଙ୍କା । ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟର ଅଭିବୃଦ୍ଧି ଏବଂ ବିକାଶ ଦିଗରେ କାର୍ୟ୍ୟ କରିବାକୁ ଉତ୍ସାହ ଦେବା ଉଦେ୍ଦଶ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ କରାଯାଉଛି । ସ୍ୱର୍ଗତଃ ବନମାଳୀ ସାହୁ ଦେବଗଡ଼ ଜିଲ୍ଲାରେ ଜଣେ ପ୍ରତିଷ୍ଠିତ ଚିକିତ୍ସକ ସହ କବି ଭାବେ ପରିଚିତ ଥିଲେ । ୨୫ରୁ ଉଦ୍ଧ୍ୱର୍ ପ୍ରକାଶିତ ଏବଂ ଅପ୍ରକାଶିତ ସାହିତ୍ୟ କୃତି ତାଙ୍କର ଭାଷା ସାହିତ୍ୟ ଦକ୍ଷତାର ପରିଚୟ ଦିଏ । ତେଣୁ ସ୍ୱର୍ଗତଃ ବନମାଳୀ ସାହୁଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ବୁଲଗେରିଆ ତଥା ମାସିଡୋନିଆର ରାଷ୍ଟ୍ରଦୂତ ଶ୍ରଯୁକ୍ତ ଅରୁଣ ସାହୁ ଏହି ପ୍ରତିଯୋଗିତାର ଆୟୋଜନ କରୁଛନ୍ତି ।
ପୂର୍ବରୁ ୨୦୨୪ ପ୍ରତିଯୋଗିତାରେ ଗଞ୍ଜାମ ଗାଙ୍ଗଦହଣୀ ସରକାରୀ ୟୁଜି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗୋଦାବରୀ ସାହୁ, ସୁନ୍ଦରଗଡ କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଶ୍ରାବଣୀ ପାତ୍ରଙ୍କ ସମେତ ତୃତୀୟ ସ୍ଥାନରେ ଯୁଗ୍ମ ଭାବେ ଆଠଗଡ ଧୁରୁଷିଆ ପଞ୍ଚାୟତ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣମୟୀ ପ୍ରଧାନ ଏବଂ କଳାହାଣ୍ଡି ମ. ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦୀପିକା ସାହୁ ପୁରସ୍କୃତ ହୋଇସାରିଛନ୍ତି ।