
ନୂଆଦିଲ୍ଲୀ : ଦେଶରେ କରାଯିବ ଜାତିଭିତ୍ତିକ ଜନଗଣନା । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଜନଗଣନାରେ ଜାତି ଜନଗଣନାକୁ ସାମିଲ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଏହି ଅବସରରେ ମନ୍ତ୍ରୀ ବୈଷ୍ଣବ କଂଗ୍ରେସକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ଦଳ ଏହାର ଶାସନ କାଳରେ ଜାତିଭିତ୍ତିକ ଜନଗଣନା କରି ନଥିଲା। କଂଗ୍ରେସ ସରକାର ସର୍ବଦା ଜାତିଭିତ୍ତିକ ଜନଗଣନାକୁ ବିରୋଧ କରୁଥିଲା। ୨୦୧୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଲୋକସଭାରେ ଆଶ୍ୱାସନା ଦେଇଥିଲେ ଯେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ କ୍ୟାବିନେଟରେ ବିଚାର କରାଯିବ। ଏହି ପ୍ରସଙ୍ଗରେ ବିଚାର ବିମର୍ଶ କରିବା ପାଇଁ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା ଏବଂ ଅଧିକାଂଶ ରାଜନୈତିକ ଦଳ ଜାତି ଜନଗଣନା କରିବାକୁ ସୁପାରିସ କରିଥିଲେ।
ସେପଟେ ରାହୁଲ ଗାନ୍ଧି ଦୀର୍ଘଦିନ ହେଲା ଜାତିଭିତ୍ତିକ ଜନାଗଣନା ପାଇଁ ଦାବି କରି ଆସୁଥିଲେ । ସରକାରଙ୍କ ନିଷ୍ପତ୍ତି ପରେ ସେ ଏହାକୁ ସ୍ୱାଗତ କରିଛନ୍ତି । କିନ୍ତୁ, କେବେ ଏହି କାର୍ଯ୍ୟ କରାଯିବ ସେ ନେଇ ତାରିଖ ଘୋଷଣା କରିବାକୁ କହିଛନ୍ତି ରାହୁଲ ।