
ଭୁବନେଶ୍ୱର, ୨୮।୬: ଓଡ଼ିଶାରେ ଆସନ୍ତା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦୁଇଟି ନୂତନ ଲଘୁଚାପ ଆଶଙ୍କା ଥିବାରୁ ବର୍ଷା ଆହୁରି ବୃଦ୍ଧି ପାଇପାରେ। ଏଥିପାଇଁ ସମସ୍ତ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଭବିଷ୍ୟତବାଣୀ ଥିବାରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ବିଜୁଳି ଘଡ଼ଘଡ଼ି, ବଜ୍ରପାତ ଓ ଝଟ୍କା ପବନ ସହ ବର୍ଷା ପାଇଁ ଦେବଗଡ଼, ଅନୁଗୋଳ, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଓ ଗଞ୍ଜାମ ସହ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି।
ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ଉତ୍ତର-ବଙ୍ଗୋପସାଗର ଓ ବାଂଲାଦେଶ, ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ଘନୀଭୂତ ହୋଇ ୩୦ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ଅନୁମାନ ରହିଛି। ଶୁକ୍ରବାର ଦିନ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି—ଭଦ୍ରକରେ ୧୭.୨ ମିମି, ଭବାନୀପାଟଣାରେ ୧୩.୨ ମିମି, ଦାରିଙ୍ଗିବାଡ଼ିରେ ୧୨.୦ ମିମି, ଚାନ୍ଦବାଲିରେ ୮.୯ ମିମି ଓ ଯାଜପୁରରେ ୮.୦ ମିମି ବର୍ଷା ମାପାଯାଇଛି।