ଆଡ଼ପ ଦର୍ଶନର ଆରମ୍ଭ: ବାହାରିଲା ପ୍ରଥମ ଦିନର ଅବଢ଼ା

ପୁରୀ,୩୦ା୦୬: ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା। ସୋମବାର ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ସହ ମହାପ୍ରସାଦ ପାଇ ଭକ୍ତମାନେ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି। ରବିବାର ରଥ ଉପରେ ନୀତିକାନ୍ତି ସରି ଚାରମାଳ ବନ୍ଧାହେବା ପରେ ଗୋଟିପହଣ୍ଡିରେ ଶ୍ରୀବିଗ୍ରହମାନେ ଆଡ଼ପମଣ୍ଡପକୁ ବିଜେ କରିଥିଲେ।
ଆଡ଼ପ ପହଣ୍ଡି ନିମନ୍ତେ ରବିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ନୀତି, ବେଶ, ଗୋପାଳ ବଲ୍ଲଭ, ଧୂପ, ଯାତ୍ରାଙ୍ଗୀ ମହାସ୍ନାନ, ସିଂହାସନ ମାଜଣା, ଘୋଡ଼ାଫିଟା ଓ ଚାରମାଳ ବନ୍ଧା ଓ ଶ୍ରୀବିଗ୍ରହଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମଦନମୋହନ, ପରେ ରାମକୃଷ୍ଣ, ଶେଷରେ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ଗୋଟିପହଣ୍ଡିରେ ବିଜେ କରିଥିଲେ। ରଥ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସି ପତିମହାପାତ୍ରଙ୍କ ଆଳତି, ଘଣ୍ଟ, ସଂକୀର୍ତ୍ତନ, ହୁଳହୁଳି ଧ୍ୱନି ମଧ୍ୟରେ ଠାକୁରମାନେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ।